Categories: ଖେଳ

ରାଣୀ ରାମପାଲ୍‌ଙ୍କ ନାମରେ ଷ୍ଟାଡିୟମ

ନୂଆଦିଲ୍ଳୀ,୨୨ା୩(ପି.ଟି.): ଭାରତୀୟ ମହିଳା ହକି ଦଳର ଷ୍ଟାର ଖେଳାଳି ରାଣୀ ରାମ୍‌ପାଲଙ୍କ ନାମରେ ଏକ ହକି ଷ୍ଟାଡିୟମକୁ ନାମିତ କରାଯାଇଛି। ପ୍ରଥମ ମହିଳା ହକି ଖେଳାଳି ଭାବରେ ରାଣୀ ଏଭଳି କୃତିତ୍ୱ ହାସଲ କରିଛନ୍ତି। ଏମ୍‌ସିଏଫ୍‌ ରାଏବରେଲିକୁ ପୁନଃନାମିତ କରାଯିବା ସହିତ ରାଣୀସ ଗାର୍ଲସ ହକି ଟର୍ଫ ଭାବରେ ନାମିତ କରାଯାଇଛି। ନିଜ ନାମରେ ନାମିତ ଷ୍ଟାଡିୟମରେ କିଛି ମହିଳା ଖେଳାଳିଙ୍କ ସହିତ କଥା ହେଉଥିବାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରାଣୀ ଶେୟାର କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ହକି ପ୍ରତି ମୋର ଅବଦାନ ପାଇଁ ଏମ୍‌ସିଏଫ୍‌ ରାଏବରେଲୀକୁ ପୁନଃନାମିତ କରାଯାଇଥିବା ବେଳେ ଏଥିରୁ ମିଳିଥିବା ଖୁସିକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ବୋଲି ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। ପ୍ରଥମ ମହିଳା ହକି ଖେଳାଳି ଭାବରେ ଏଭଳି ସମ୍ମାନ ମିଳିଥିବାରୁ ମୁଁ ସଭିଙ୍କ ନିକଟରେ କୃତଜ୍ଞ। ଭାରତୀୟ ମହିଳା ହକି ଦଳ ଉଦ୍ଦେଶ୍ୟରେ ମୁଁ ଏହି ସମ୍ମାନ ଉତ୍ସର୍ଗ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ରାଣୀଙ୍କ ନେତୃତ୍ୱରେ ଭାରତ ଚତୁର୍ଥ ସ୍ଥାନ ହାସଲ କରିଥିଲା।

Share