୧୦ ତାଲିମ କେନ୍ଦ୍ରର କର୍ମକର୍ତ୍ତା ଯୋଗଦେଲେ: ୮୦ ଜଣ ପ୍ରାର୍ଥୀଙ୍କ ନାମ ପଞ୍ଜୀକରଣ

ଥୁଆମୂଳ ରାମପୁର,୧୫ା୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ତି ଜିଲା କର୍ମନିୟୋଜନ ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ବ୍ଲକ୍‌ଠାରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲା କର୍ମନିୟୋଜନ ଅଧିକାରୀ ସୁବୁଲିତ ସାମନ୍ତରାଏ, ବ୍ଲକ୍‌ ଅଧ୍ୟକ୍ଷ ଦୟାନିଧି ମାଝୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ଓଏଲ୍‌ଏମ୍‌ ବିପିଏମ୍‌ ସୌମ୍ୟରଞ୍ଜନ ମହାପାତ୍ର, ବିଏଲ୍‌ସି ଦୀପକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ୧୦ଟି ବିଭିନ୍ନ ତାଲିମ କେନ୍ଦ୍ରର କର୍ମକର୍ତ୍ତା ଯୋଗଦେଇ ୮୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଶିବିରରେ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ମିଶନ ଶକ୍ତି ସମସ୍ତ ବିଏଲ୍‌ଏଫ୍‌ ସଭାପତି ଓ ସମ୍ପାଦକ, ସମନ୍ବିତ ଶିଶୁ ବିକାଶ ଯୋଜନାର ସମସ୍ତ ମହିଳା ପରିଦର୍ଶିକା, ଅଙ୍ଗନଓ୍ବାଡି କର୍ମୀ ଉପସ୍ଥିତ ଥିଲେ।