Categories: ଜାତୀୟ

କୃଷି ଆଇନ ବିରୋଧୀ ପ୍ରସ୍ତାବ ଆଣିଲେ ଷ୍ଟାଲିନ୍‌, ଭାଜପା କଲା ଗୃହତ୍ୟାଗ…

ଚେନ୍ନାଇ,୨୮।୮: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ବିଧାନସଭା ଆଗତ ହେବା ପରେ ଦ୍ୱନିମତରେ ପାରିତ ହୋଇଛି। ଏହାକୁ ନେଇ ଭାଜପା ସଦସ୍ୟମାନେ ଗୃହତ୍ୟାଗ କରିଛନ୍ତି। ଷ୍ଟାଲିନଙ୍କ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରାଯାଇ ଏହାକୁ ରଦ୍ଦ କରିବାକୁ ବିରୋଧରେ ବିଧାନସଭାରେ ଦାବି କରାଯାଇଛି। ଏହି ପ୍ରସ୍ତାବକୁ ବିଜେପି ଏବଂ ଏଆଇଏଡିଏମ୍‌କେ ବିଧାୟକମାନଙ୍କ ପକ୍ଷରୁ ବିରୋଧ କରାଯାଇ ପ୍ରବଳ ହଟ୍ଟଗୋଳ କରାଯାଇଛି। ଏଆଇଏଡିଏମ୍‌କେ ବିଧାୟକମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ପ୍ରସ୍ତାବକୁ ତରବରିଆ ଭାବେ ଅଣାଯାଇଛି। ପ୍ରସ୍ତାବ ଆଣିବା ପୂର୍ବରୁ ରାଜ୍ୟ ସରକାର ଏକ ସର୍ବଦଳୀୟ ବୈଠକ ଡାକିବା ସହିତ ଚାଷୀଙ୍କ ମତ ମଧ୍ୟ ଗ୍ରହଣ କରିବା ଆବଶ୍ୟକ ଥିଲା। ଏମ.କେ ଷ୍ଟାଲିନ କହିଛନ୍ତି ଯେ ଯେଉଁମାନେ କୃଷି ଆଇନ ବିରୁଦ୍ଧରେ ବିରୋଧ କରୁଥିଲେ, ଯେଉଁମାନଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଥିଲା, ଏବେ ସମସ୍ତ ମାମଲା ପ୍ରତ୍ୟାହାର କରି ନିଆଯିବ। ତାମିଲନାଡୁ ପୂର୍ବରୁ ପଞ୍ଜାବ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଏଭଳି ପ୍ରସ୍ତାବ ମଧ୍ୟ ରାଜ୍ୟ ବିଧାନସଭାରେ ପାରିତ ହୋଇଛି। ସୂଚନାଯୋଗ୍ୟ,ଦେଶର କୃଷକମାନେ ଗତ ବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି ଧାରଣାରେ ବସିଛନ୍ତି। ତେବେ କେନ୍ଦ୍ର ସରକାର ସେମାନଙ୍କ କଥା ଶୁଣୁ ନାହାଁନ୍ତି। କେନ୍ଦ୍ର ସରକାରଙ୍କ ଏହି ମନୋଭାବ ନେଇ କୃଷକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆଇନକୁ ରଦ୍ଦ କରିବାକୁ ସେମାନେ ଅଡି ବସିଛନ୍ତି।

Share