ଚେନ୍ନାଇ,୯।୧୦ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦ୍ୱିତୀୟ ଥର ପାଇଁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ରବିବାର ଦଳର ସାଧାରଣ ପରିଷଦ ବୈଠକରେ ସେ ନିର୍ବିରୋଧ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ଏହା ସହିତ ଡିଏମକେର ସାଧାରଣ ପରିଷଦ ବୈଠକରେ ଦଳର ନେତା ଦୁରାଇ ମୁରୁଗାନ ଦଳର ସାଧାରଣ ସମ୍ପାଦକ ତଥା ଟିଆର ବାଲୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି।
୨୦୧୮ରେ କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ ସର୍ବସମ୍ମତି କ୍ରମେ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ଦଳର କୋଷାଧ୍ୟକ୍ଷ, ଯୁବ ୱିଙ୍ଗ ସେକ୍ରେଟାରୀଙ୍କ ସମେତ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ।
ଭେଟେରାନ ନେତା ଏମ.କେ ଷ୍ଟାଲିନଙ୍କୁ କର୍ମୀମାନେ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, କ୍ରମାଗତ ଦ୍ୱିତୀୟ ଥର ପାଇଁ ଏମ.କେ ଷ୍ଟାଲିନ, ଦୁରାଇ ମୁରୁଗାନ ଏବଂ ଟିଆର ବାଲୁ ନିର୍ବାଚିତ ହୋଇଛନ୍ତି।