Categories: ଜାତୀୟ

ଛାତ୍ରୀଛାତ୍ରଙ୍କୁ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ଷ୍ଟାଲିନ

ଚେନ୍ନାଇ,୨୫।୨: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବର୍ତ୍ତମାନ ବିଶ୍ୱ ସମୁଦାୟକୁ ଚିନ୍ତିତ। ଏହି କ୍ରମରେ ଭାରତର ଶତାଧିକ ଛାତ୍ରୀଛାତ୍ର ୟୁକ୍ରେନରେ ଫସି ରହିଥିବା ଜଣାପଡିଛି। ଏନେଇ ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ତତ୍ପରତା ପ୍ରକାଶ କରିଛନ୍ତି । ଗୋଟିଏ ପଟେ ରୁଷିଆ ୟୁକ୍ରେନର ସମସ୍ତ ଏୟାର ଲାଇନ ବନ୍ଦ କରିଦେଇଥିବାରୁ ସେଠାରୁ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଛି। ଏଭଳିସ୍ଥିତିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ୟୁକ୍ରେନରେ ଫସି ରହିଥିବା ୫ ହଜାର ତାମିଲ ଛାତ୍ରୀଛାତ୍ରଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ତାମିଲ ଛାତ୍ରୀଛାତ୍ରଙ୍କୁ ୟୁକେନରୁ ଉଦ୍ଧାର କରିବା ପାଇଁ ସମସ୍ତ ଖର୍ଚ୍ଚ ତାମିଲନାଡୁ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି। କେବଳ ସେତିକି ନୁହେଁ ଏନେଇ ସେ ବିଦେଶମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଏକ ଚିଠି ଲେଖି ତାମିଲ ଛାତ୍ରୀଛାତ୍ରଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ, ୟୁକ୍ରେନରୁ ଭାରତ ଆସିବା ପାଇଁ ସମସ୍ତ ବିମାନ ବନ୍ଦ ରହିଛି। ଫେବୃଆରୀ ୨୪ ତାରିଖ ସକାଳେ ଏୟାର ଇଣ୍ଡିଆର ଏକ ବିମାନ କିଛି ଭାରତୀୟ ନାଗରିକଙ୍କୁ ନେଇ ଉଡାଣ ଭରିବାର ଥିବା ବେଳେ ଯୁଦ୍ଧ ଆରମ୍ଭ ହୋଇଯିବାରୁ ଉଡାଣ ରଦ୍ଦ ହୋଇଯାଇଥିଲା। ଏହା ପୂର୍ବରୁ କେବଳ ଗୋଟିଏ ବିମାନରେ କିଛି ଭାରତୀୟ ନାଗରିକ ୟୁକ୍ରେନରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ।

Share