Categories: ଜାତୀୟ

ଷ୍ଟାଲିନ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ: ପଲାନିସ୍ବାମୀ…

ଚେନ୍ନାଇ,୨।୭ : ଏଆଇଏଡିଏମେକେର ମହାସଚିବ ଏଡାପ୍ପଡି କେ ପଲାନିସ୍ବାମୀ କର୍ନାଟକରେ ଶାସକ କଂଗ୍ରେସ ଏବଂ ତାମିଲନାଡୁର ଡିଏମକେକୁ କଡ଼ା ସମାଲୋଚନା କରିଛନ୍ତି। ପଲାନିସ୍ବାମୀ କହିଛନ୍ତି କର୍ନାଟକ ସରକାର କାବେରୀ ନଦୀରେ ମେକେଡାଟୁ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କିଛି କରୁନାହାଁନ୍ତି। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଜଳଭଣ୍ଡାର ନିର୍ମାଣ ବିଷୟରେ କହୁଛନ୍ତି କିନ୍ତୁ ଷ୍ଟାଲିନ ଏହାକୁ ବିରୋଧ କରୁନାହାଁନ୍ତି।

ବାସ୍ତବରେ କର୍ନାଟକର ରାମନଗର ଜିଲାର କନକପୁରା ନିକଟରେ ଥିବା ମେକେଡାଟୁରେ ଏକ ଜଳଭଣ୍ଡାର ନିର୍ମାଣ ହେବ। କର୍ନାଟକ ସରକାର ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ତଥା ୪୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଏହି ଜଳଭଣ୍ଡାର ନିର୍ମାଣ କରୁଛନ୍ତି। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ନଅ ହଜାର କୋଟି ଟଙ୍କା। ଅନ୍ୟପକ୍ଷରେ ତାମିଲନାଡୁ ସରକାର ଏହି ଜଳଭଣ୍ଡାର ପ୍ରକଳ୍ପକୁ ବିରୋଧ କରୁଛନ୍ତି। ତାମିଲନାଡୁ କହିଛି ଏହି ଜଳଭଣ୍ଡାରର ନିର୍ମାଣ ତାମିଲନାଡୁରେ କାବେରୀ ନଦୀ ପ୍ରବାହକୁ ପ୍ରଭାବିତ କରିବ ଯାହା ରାଜ୍ୟର ଜଳ ଯୋଗାଣ ଉପରେ ନକାରାତ୍ମକ ପ୍ରଭାବ ପକାଇବ।

ତାମିଲନାଡୁର ବିରୋଧୀ ଦଳର ନେତା ପଲାନିସ୍ବାମୀ ଦର୍ଶାଇଛନ୍ତି ତାଙ୍କ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ୨୦୧୮ ରେ କାବେରୀ ମ୍ୟାନେଜମେଣ୍ଟ ଅଥରିଟି ବୈଠକରେ ମେକେଡାଟୁ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇ ପାରିନାହିଁ। ଚଳିତ ବର୍ଷ ମେ ମାସ ପର୍ଯ୍ୟନ୍ତ ଏ ବାବଦରେ କୌଣସି ଆଲୋଚନା ହୋଇ ନ ଥିଲା, କିନ୍ତୁ କର୍ନାଟକରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ମାତ୍ରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏହି ପ୍ରସଙ୍ଗ ଉଠାଇବା ଆରମ୍ଭ କରିଥିଲେ। ଏହି ଦିଗରେ ଶୀଘ୍ର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଲାନିସ୍ବାମୀ କହିଛନ୍ତି ମୁଁ ଏହି ପ୍ରକଳ୍ପକୁ ଦୃଢ଼ ବିରୋଧ କରିଥିଲି, କିନ୍ତୁ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କେବଳ ସେତେବେଳେ ଏହାକୁ ବିରୋଧ କରି ନ ଥିଲେ। ତେଣୁ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପଲାନିସୱାମୀ କହିଛନ୍ତି କର୍ନାଟକ ନେତାମାନେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଉଛନ୍ତି। ଏଆଇଏଡିଏମକେ ନେତା ଡିଏମକେ ସରକାରଙ୍କୁ ଏହି ପ୍ରସଙ୍ଗରେ ନୀରବ ରହିଥିବା ଅଭିଯୋଗ କରିଛନ୍ତି। ପାଲାନିସ୍ବାମୀ କହିଛନ୍ତି ଷ୍ଟାଲିନ ତାଙ୍କର ୩୮ ଏମପିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପ୍ରସଙ୍ଗରେ ଭେଟିବା ଉଚିତ। ଏହି ପ୍ରକଳ୍ପ ଦ୍ୱାରା ତାମିଲନାଡୁକୁ ମରୁଭୂମିରେ ପରିଣତ କରିବାକୁ ହେଉଥିବା ଉଦ୍ୟମକୁ ତାଙ୍କ ଦଳ ବିରୋଧ କରିବ।

Share