Categories: ଜାତୀୟ

ସୋମବାରୀ ପୂଜା ସମୟରେ ଦଳାଚକଟା, ୨ ମହିଳାଙ୍କ ମୃତ୍ୟୁ…

ସିଓ୍ବାନ,୧୮।୭ : ଶ୍ରାବଣ ମାସର ପ୍ରଥମ ସୋମବାରରେ ବିହାରରେ ଏକ ବଡ ଦୁର୍ଘଟଣା ଘଟିଛି । ଏହି ଘଟଣା ସିୱାନରେ ଏକ ମନ୍ଦିରରେ ଘଟିଥିବାବେଳେ ଏଥିରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଐତିହାସିକ ମହେନ୍ଦ୍ରନାଥ ମନ୍ଦିରରେ ସୋମବାରୀ ପୂଜା ପାଇଁ ପ୍ରବେଶ ସମୟରେ ଦଳାଚକଟା ହୋଇଥିଲା। ଏଥିରେ କେତେକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସିୱାନ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଯୋଗୁଁ ମନ୍ଦିର ପରିସରରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଠିକ ସମୟରେ ଆମ୍ବୁଲାନ୍ସର ଉପଲବ୍ଧ ହୋଇ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ମନ୍ଦିର ପରିସରରେ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼ ରେ ତିନିଜଣ ମହିଳା ତଳେ ପଡ଼ିଯାଇଥିଲେ। ସେଥିମଧ୍ୟରୁ ଦୁଇଜଣ ମହିଳାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା କୁହାଯାଉଛି।

ମନ୍ଦିର ପରିସରରେ ନିୟୋଜିତ ସୁରକ୍ଷାକର୍ମୀମାନେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ମୃତକଙ୍କ ନାମ ହୁସେନଗଞ୍ଜର ପ୍ରତାପପୁର ଗାଁର ଲୀଲାବତୀ ଦେବୀ ହୋଇଥିବା ବେଳେ ଅନ୍ୟ ମୃତ ମହିଳା ଜଣକ ହେଉଛନ୍ତି ଜିରାଦେଇ ବ୍ଲକର ପଠାର ଗ୍ରାମ ନିବାସୀ ସୋହଗମତି ଦେବୀ। ଆହତମାନେ ହେଉଛନ୍ତି ହୁସେନଗଞ୍ଜର ପ୍ରତାପପୁର ଗ୍ରାମ ନିବାସୀ ଦିନାନାଥ ଯାଦବଙ୍କ ସ୍ତ୍ରୀ ଅଜରିଆ ଦେବୀ ଏବଂ ଶାହାବାଜପୁର ଗାଁର ଜନକ ଦେବ ଭଗତଙ୍କ ସ୍ତ୍ରୀ ଶିବ କୁମାରୀ ଦେବୀ ବୋଲି ଜଣାପଡିଛି।

ମୃତଦେହ ଦେଖି ପରିବାର ସଦସ୍ୟଙ୍କ ମଧ୍ୟରେ କାନ୍ଦାରୋଳ ଆରମ୍ଭ ହୋଇଛି। କୁହାଯାଉଛି ଯେ ମନ୍ଦିରର ଫାଟକ ଖୋଲିବା ପରେ ଏହି ଦୁର୍ଘଟଣା ଘଟିଛି। ଫାଟକ ଖୋଲିବା ମାତ୍ରେ ହଠାତ୍‌ ଶ୍ରଦ୍ଧାଳୁ ଭିଡ଼ ମନ୍ଦିର ଭିତରକୁ ପଶି ଆସିଥିଲେ। ଏହି ଘଟଣା ପରେ ଏସଡିପିଓ ଜିତେନ୍ଦ୍ର ପାଣ୍ଡେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

Share