Categories: ଜାତୀୟ

ହାଥରସ୍‌ରେ ବଡ଼ ଅଘଟଣ: ସତସଙ୍ଗରେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଗୁରୁତର

ହାଥରସ୍‌,୨।୭: ଉତ୍ତରପ୍ରଦେଶ ହାଥରସ୍‌ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରୀ ବଢ଼ିବାର ଆଂଶଙ୍କା ରହିଛି। ତେବେ ମୃତକଙ୍କ ମଧ୍ୟରେ ୨୩ ମହିଳାଙ୍କ ସହ ୩ ଶିଶୁ ଏବଂ ଜଣେ ପୁରୁଷ ସାମିଲ ଅଛନ୍ତି। ମୃତକ ଏବଂ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି। ଏନେଇ ସିଏମ୍‌ଓ ଉମେଶ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି।

ମଙ୍ଗଳବାର ‘ଭୋଲେ ବାବା’ଙ୍କ ସତସଙ୍ଗ ସକାଳ ୮ଟାରେ ଆରମ୍ଭ ହୋଇଥିଲା। ଏଥିରେ ଭାଗ ନେବା ଲାଗି ଭିନ୍ନ ଭିନ୍ନ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍ନ ୨ଟାରେ ସତସଙ୍ଗ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଘରକୁ ଫେରିବା ଲାଗି ବ୍ୟତିବସ୍ତ ହୋଇଯାଇଥିଲେ। ଜଣେ ଅନ୍ୟଜଣଙ୍କୁ ଧକ୍କା ଦେଇଥିଲେ। ଏହାପରେ ସେଠାରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଲୋକେ ଚିତ୍କାର କରିଥିଲେ।
ଗ୍ରାମବାସୀଙ୍କ ମୁତାବକ, ସତସଙ୍ଗ ନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ମିଳିଥିଲା। କିଛି ପୋଲିସ କର୍ମୀ ପେଣ୍ଡାଲ ପାଖରେ ଉପସ୍ଥିତ ଥିଲେ। ହେଲେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଆୟୋଜକମାନେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ। ହେଲେ କେହି କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। କିଛି ଲୋକ ଅଘଟଣ ହେବା ବାରିଥିଲେ। ହେଲେ କିଛି ବୁଝା ପଡ଼ି ନ ଥିଲା। କେବଳ ଲୋକେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ନଜର ଆସିଥିଲା।
ଅଘଟଣ ନେଇ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ସହାୟତା ରାଶି ଘୋଷଣା କରିଛନ୍ତି। ଏପରିକି ଏହି ଦୁର୍ଘଟଣା ନେଇ ଯାଞ୍ଚ କରିବାକୁ କମିଟି ଗଠନ କରାଯାଇଛି। ଗୁରୁତରମାନଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
Share