‘ରାଜ୍ୟରେ ଶିକ୍ଷାର ମାନ ହ୍ରାସ ପାଉଛି’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ ଜଟଣୀ,୩୧ା୭(ରବୀନ୍ଦ୍ର ନାଥ ମହାକୁଡ଼):ରାଜ୍ୟରେ ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଉପରେ ପ୍ରଭାବ ପଡୁଛି। ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବା ଏବଂ ସରକାରୀ ପ୍ରୋତ୍ସାହନ ଅଭାବ ଏହାର ପ୍ରମୁଖ କାରଣ ବୋଲି ଜଟଣୀସ୍ଥିତ ଅଗ୍ରଓ୍ବାଲ ଧର୍ମଶାଳା ପରିସରରେ ଆୟୋଜିତ ୧୬ତମ ମେଧାବୀ ଅଭିନନ୍ଦନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଏହା କହିଛନ୍ତି।
ପାଣ୍ଡବ ଜେନା ଟ୍ରଷ୍ଟ ଆନୁକୂଲ୍ୟରେ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ସତପଥୀ ଶୁଭାରମ୍ଭ କରିଥିଲେ। ଦେଶ, ଜାତି, ଧର୍ମ ଓ ପରମ୍ପରାକୁ ଜାଣିବାକୁ ହେଲେ ପ୍ରଥମେ ତାର ଇତିହାସକୁ ଭଲଭାବେ ଜାଣିବା ଆବଶ୍ୟକ। ସେହିପରି ପୃଥିବୀପୃଷ୍ଠରେ ମଣିଷ ରହିବା ଦିନଠାରୁ ପ୍ରଥମେ ମାତୃଶକ୍ତିର ଉପାସନା କରାଯାଉଥିଲା। ତେଣୁ ମାତୃଶକ୍ତି ବିନା ପୃଥିବୀର କୌଣସି ସୃଷ୍ଟି ସମ୍ଭବ ନୁହେଁ ବୋଲି ସତପଥୀ କହିଥିଲେ। ପାଣ୍ଡବ ଜେନା ଫାଉଣ୍ଡେଶନର ଅଧ୍ୟକ୍ଷ ଡ. ସନ୍ତୋଷ ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ, ଗରିବ ଛାତ୍ରୀଛାତ୍ର ଶିକ୍ଷାରୁ ଯେପରି ବଞ୍ଚିତ ନ ହେବେ ସେ ଦିଗରେ ତାଙ୍କ ଅନୁଷ୍ଠାନ କାର୍ଯ୍ୟ କରୁଛି। ମୁଖ୍ୟ ବକ୍ତାଭାବେ ଭୁବନେଶ୍ୱର ନାଇଜର ଡିନ୍‌ ପ୍ରଫେସର ଡ. ପ୍ରଣୟ କୁମାର ସ୍ବାଇଁ, ସମ୍ମାନିତ ଅତିଥିଭାବେ ଏନ୍‌ଏସ୍‌ଏସ୍‌ ଆଡଭାଇଜର ତଥା ନ୍ୟାଶନାଲ ୟୁଥ୍‌ ପ୍ରୋଜେକ୍ଟ ଓଡ଼ିଶା ମୁଖ୍ୟ ମଧୁସୂଦନ ଦାସ, ପୂର୍ବତନ ଜିଲା ପରିଷଦ ସଭ୍ୟ ବିନତି ଜେନା, ସଂସ୍କୃତି ସୁରକ୍ଷା ମଞ୍ଚ ଆବାହକ କୈଳାସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୧୬୨ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଆଉ ୨୧୨ ମେଧାବୀ ଛାତ୍ରୀଛାତ୍ରଙ୍କ ନିକଟକୁ ଯାଇ ସମ୍ମାନିତ କରାଯିବ ବୋଲି ପାଣ୍ଡବ ଜେନା ଫାଉଣ୍ଡେଶନ ଅଧ୍ୟକ୍ଷ ଜେନା କହିଛନ୍ତି। ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଶିଶୁ ସାହିତି୍ୟକ ତ୍ରିଲୋଚନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂସ୍କୃତି ସୁରକ୍ଷା ମଞ୍ଚର ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୮ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।