Categories: ଖେଳ

ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟିରେ ଝୁଲଣ

ଲଣ୍ଡନ, ୨୭ା୬ (ପି.ଟି.): ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ (ଡବ୍ଲ୍ୟୁସିସି) କମିଟିରେ ଯୋଗ ଦେଇଛନ୍ତି। ଏଥିରେ ଇଂଲଣ୍ଡ ମହିଳା ଦଳର ଅଧିନାୟିକା ହିଥର ନାଇଟ୍‌ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଲଡର୍‌ସଠାରେ କ୍ଲବର ବୈଠକ ପୂର୍ବରୁ କ୍ଲବ ତରଫରୁ ଏହି ସୂଚନା ଦିଆଯାଇଛି। ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟି ହେଉଛି ଏକ ସ୍ବାଧୀନ ସଂସ୍ଥା। ଏହା ବିଶ୍ୱର ବର୍ତ୍ତମାନ ଓ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର, ଅମ୍ପାୟର, ଅଫିସିଆଲଙ୍କୁ ନେଇ ଗଠିତ। ଗୋସ୍ବାମୀ ଏକଦା ମହିଳା କ୍ରିକେଟର ଅନ୍ୟତମ ଦ୍ରୁତତମ ବୋଲର ଥିଲେ। ଗତବର୍ଷ ସେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ତାଙ୍କ ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଥିଲା। ଏଥିରେ ତାଙ୍କର ବିଦାୟକାଳୀନ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହି ସିମ୍‌ ବୋଲର ତାଙ୍କ ଦୁଇ ଦଶନ୍ଧି କ୍ୟାରିୟର ମଧ୍ୟରେ ୨୭୨ ହ୍ବାଇଟ୍‌ ବଲ କ୍ରିକେଟ ଖେଳି ୩୦୦ରୁ ଊର୍ଦ୍ଧ୍ୱ ଉଇକେଟ ଅକ୍ତିଆର କରିଛନ୍ତି। ୧୨ଟି ଟେଷ୍ଟ ମ୍ୟାଚ ଖେଳି ୪୪ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଚଳିତବର୍ଷ ଏପ୍ରିଲରେ ତାଙ୍କୁ ଏମ୍‌ସିସି (ମେରଲ୍‌ିବୋନ କ୍ରିକେଟ କ୍ଲବ)ର ଜଣେ ଆଜୀବନ ଅବୈତନିକ ସଦସ୍ୟ କରାଯାଇଛି। ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟି ମାଇକ୍‌ ଗ୍ୟାଟିଂ କହିଛନ୍ତି ଆମେ ଖୁସିର ସହ ଝୁଲଣ, ହିଥର ଓ ଇଅନଙ୍କୁ ସ୍ବାଗତ କରୁଛୁ। ଅନ୍ତର୍ଜାତୀୟ କ୍ରିକେଟରେ ଏହି ୩ଜଣ ଖେଳାଳି ଶୀର୍ଷକୁ ଉଠି ପାରିଛନ୍ତି। ସେମାନଙ୍କ ନିଟକରେ ରହିଥିବା ପ୍ରଚୁର ଅଭିଜ୍ଞତା ଓ ଜ୍ଞାନ କମିଟି ପାଇଁ ଫାଇଦା ସାବ୍ୟସ୍ତ ହେବ।

Share