Categories: ଫୁରସତ

୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କଲେ ମହିଳା, ସାରା ବିଶ୍ୱ ଏବେ କରୁଛି ପ୍ରଶଂସା

ୱାଶିଂଟନ: ସାଧାରଣତଃ କଲେଜ ପଢ଼ା ସରିଯିବା ପରେ ଆଉ କେହି ପଢ଼ିବାକୁ ପସନ୍ଦ କରି ନ ଥାନ୍ତି। ପଢ଼ିବା ପାଇଁ ଆଉ ବୟସ ନ ଥିବା କହି ଅଧିକାଂଶ ଲୋକ ନିଜ କର୍ମ କ୍ଷେତ୍ରକୁ ଫୋକସ୍‌ କରି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି। ତେବେ ନିକଟରେ ଆମେରିକାର ଜଣେ ମହିଳା ପାଠପଢା ଛାଡିବାର ଦୀର୍ଘ ୮ ଦଶନ୍ଧି ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସମସ୍ତଙ୍କୁ ଚକିତ କରିଛି। ୧୦୫ ବର୍ଷ ବୟସରେ ଜୀବନର ଶେଷ ଅବସ୍ଥାରେ ଏହି ମହିଳା ଜଣକ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଆଗରେ ବୟସ ହାର ମାନିଥିବା ପ୍ରମାଣିତ ହୋଇଛି। ସାରା ବିଶ୍ୱ ଏବେ ଏହି ମହିଳାଙ୍କ ଦୃଢ଼ ଆତ୍ମବିଶ୍ୱାସ, ସାହସ ତଥା ପଢ଼ା ପାଇଁ ରହିଥିବା ଭଲପାଇବା ଓ ଦୁର୍ବଳତାକୁ ପ୍ରଶଂସା କରୁଛି।

ହିସ୍‌ଲୋପ ନାମ୍ନୀ ଏହି ୧୦୫ ବର୍ଷୀୟା ଆମେରିକୀୟ ମହିଳା ନାମ ଲେଖାଇବାର ଦୀର୍ଘ ୮୪ ବର୍ଷ ପରେ ‘ଷ୍ଟାନ୍‌ଫୋର୍ଡ ଗ୍ରାଜୁଏଟ ସ୍କୁଲ୍‌ ଅଫ୍‌ ଏଜୁକେଶନ(ଜିଏସ୍‌ଇ)’ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୪୦ରେ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ର ଶିକ୍ଷା ବିଭାଗରେ ନାମ ଲେଖାଇବା ସହ ଠିକ୍‌ ସମୟରେ ନିଜ କୋର୍ସ ମଧ୍ୟ ପୂରା କରିଥିଲେ। ତେବେ ସେ ଏହି ବିଶ୍ୱବିଦ୍ୟାଳୟରେ ନିଜର ଅନ୍ତିମ ମାଷ୍ଟର ଥେସିସ୍‌ ଜମା କରିବା ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ଓ ତାଙ୍କର ଡିଗ୍ରୀ ପାଇବା ସ୍ବପ୍ନ ଅଧାରେ ରହିଯାଇଥିଲା। ସେତେବେଳେ ବର୍ଜିନିଆଙ୍କ ପ୍ରେମିକଙ୍କୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗଦେବାକୁ ଡକରା ଆସିଥିଲା ଓ ସେ ଯୁଦ୍ଧରେ ସାମିଲ ହୋଇଥିଲେ। ଫଳରେ ବର୍ଜିନିଆ ମଧ୍ୟ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ପଢା ଅଧାରୁ ଛାଡିଥିଲେ। ପରେ ବର୍ଜିନିଆ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ସହ ନିଜ ପରିବାରର କାର୍ଯ୍ୟ ତଥା ତାଙ୍କ ପିଲାମାନଙ୍କ ଦେଖାଶୁଣା କରିଥିଲେ।

ନିକଟରେ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ ପକ୍ଷରୁ ସ୍ନାତକୋତ୍ତର ପାଇଁ ଥେସିସ୍‌ର ଆବଶ୍ୟକତାକୁ ସମାପ୍ତ କରି ଦିଆଯାଇଛି। ଫଳରେ ବର୍ଜିନିଆ ରେକର୍ଡ ୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କରିପାରିଛନ୍ତି। ଶୁକ୍ରବାର ତାଙ୍କୁ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ର ଡିନ୍‌ ଡାନିଏଲ୍‌ ସ୍ବାର୍ଟଜ୍‌ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଭର୍ଜିନିଆ ହିସଲପ୍‌ ଶିକ୍ଷା ବିଷୟରେ ମାଷ୍ଟର ଅଫ୍‌ ଆର୍ଟସ୍‌ ଡିଗ୍ରୀ ହାସଲ କରିଛନ୍ତି।

Share