Categories: ଜାତୀୟ

‘ଷ୍ଟାନ୍‌ ସ୍ବାମୀଙ୍କୁ ହତ୍ୟା କରାଯାଇଛି’

ମୁମ୍ବାଇ, ୧୨।୭: ଆଦିବାସୀମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ୮୪ ବର୍ଷୀୟ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ମୃତ୍ୟୁ ପାଇଁ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସ୍ବାମୀଙ୍କୁ ଜେଲ୍‌ରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଦେଶର ମୂଳଦୁଆ କ’ଣ ଏତେ ଦୁର୍ବଳ ଯେ ଜଣେ ୮୪ ବର୍ଷୀୟ ବୃଦ୍ଧ ନରେନ୍ଦ୍ର ମୋଦି ସରକାରଙ୍କୁ ଉପାଡ଼ି ଫିଙ୍ଗିଦେଇପାରିବ ଆଶଙ୍କା କରି ତାଙ୍କୁ ହିଟଲର ଏବଂ ମୁସୋଲିନଙ୍କ ସହ ତୁଳନା କରାଯାଇଥିଲା ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।
ଭୀମା କୋରେଗାଁଓ-ଏଲ୍‌ଗାର ପରିଷଦ ମାମଲାରେ ସ୍ବାମୀଙ୍କୁ ଏନ୍‌ଆଇଏ ଗତବର୍ଷ ଅକ୍ଟୋବରରେ ଗିରଫ କରିଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଶିବସେନା ମୁଖପତ୍ର ‘ସାମନା’ର ସାପ୍ତାହିକ ସ୍ତମ୍ଭ ‘ରୋକ୍‌ଠୋକ୍‌’ରେ ରାଉତ୍‌ କେନ୍ଦ୍ର ସରକାରଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସରକାର ସହ ତୁଳନା କରିଛନ୍ତି। ତତ୍କାଳୀନ ସରକାରଙ୍କୁ ଜର୍ଜ ଫର୍ଣ୍ଣାଣ୍ଡିସ୍‌ ଭାଙ୍ଗିଦେବାର ଯୋଜନା କରୁଛନ୍ତି ବୋଲି ଇନ୍ଦିରା ଅଭିଯୋଗ କରିଥିଲେ। ସେତେବେଳର ଯୁବନେତା ଫର୍ଣ୍ଣାଣ୍ଡିସ୍‌ଙ୍କୁ ଇନ୍ଦିରା ଭୟ କରୁଥିଲେ। ହେଲେ ବର୍ତ୍ତମାନର ସରକାର ୮୪ ବର୍ଷୀୟ ଷ୍ଟାନ୍‌ ସ୍ବାମୀ ଏବଂ ଓ୍ବାରାଓ୍ବାରା ରାଓଙ୍କୁ ଭୟ କରୁଥିବା ଶିବସେନା ନେତା କହିଛନ୍ତି।

Share