ନ୍ୟୁୟର୍କ,୨୦।୮: ଆମେରିକାର ପୂର୍ବତନ ଷ୍ଟାର ବକ୍ସର ମାଇକ୍ ଟାଇସନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ। ସେ ହୁଇଲ୍ଚେୟାରରେ ନଜର ଆସିବା ପରେ ସାରା ବିଶ୍ୱରେ ଥିବା ପ୍ରଶଂସକ ଚିନ୍ତା ପ୍ରକାଶ କରିଛନ୍ତି। ୫୬ ବର୍ଷୀୟ ଟାଇସନ ଅତ୍ୟଧିକ ଗଞ୍ଜେଇ ସେବନ କରୁଥିବା କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା କୁହାଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ଟାଇସନ ପ୍ରତି ମାସରେ ୩୨ ଲକ୍ଷ ଟଙ୍କାର ଗଞ୍ଜେଇ ସେବନ କରନ୍ତି। ଏଥିଲାଗି ସେ ନିଜର ୪୨୦ ଏକର ଜମିରେ ଗଞ୍ଜେଇ ଚାଷ କରିଛନ୍ତି। ଆଇନ ଅନୁଯାୟୀ ତାଙ୍କୁ ଏହି ଚାଷ ଲାଗି ମଞ୍ଜୁରୀ ମିଳିଛି।
୨୦୦୫ରେ ନିଜ କ୍ୟାରିୟରର ଶେଷ ମୁକାବିଲା ଖେଳିଥିବା ଟାଇସନଙ୍କୁ ନିକଟରେ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ହୁଇଲ୍ ଚେୟାରରେ ଥିବା ବେଳେ ତାଙ୍କ ହାତରେ ଏକ ବାଡ଼ି ଥିଲା। ଏହା ପୂର୍ବରୁ ତାଙ୍କୁ ହାତରେ ବାଡି ଧରି ଚାଲୁଥିବାର ଦେଖାଯାଇଥିଲା। ଏହାର କିଛି ଫଟୋ ଭାଇରାଲ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଠିକ୍ ନ ଥିବା କୁହାଯାଉଛି।