ନୂଆଦିଲ୍ଲୀ, ୧୩।୧୦: ପର୍ତ୍ତୁଗାଲର ଷ୍ଟାର୍ ଫୁଟ୍ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଆକ୍ରାନ୍ତ ହୋଇଛନ୍ତି। ପାଞ୍ଚଥରର ‘ବାଲନ୍ ଡି ଅର୍’ ପୁରସ୍କାର ବିଜେତା ରୋନାଲ୍ଡୋ କରୋନା ପଜିଟିଭ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍ବଲ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ବୁଧବାର ପର୍ତ୍ତୁଗାଲ ଓ ସ୍ବିଡେନ ମଧ୍ୟରେ ନେସନ୍ କପ୍ରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ସେ ଖେଳିପାରିବେ ନାହିଁ। ରୋନାଲ୍ଡୋ କରୋନା ଆକ୍ରାନ୍ତ ହେବା ଖବରକୁ ନେଇ ଅନ୍ୟ ଟିମ୍ମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। କାହିଁକି ନା ନେସନ୍ କପ୍ରେ ସ୍ପେନ ଓ ଫ୍ରାନ୍ସ ବିପକ୍ଷରେ ମ୍ୟାଚ୍ ଖେଳିସାରିବା ପରେ ହିଁ ରୋନାଲ୍ଡୋ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହାଫଳରେ ନିକଟରେ ଅନେକ ଖେଳାଳି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ରୋନାଲ୍ଡୋଙ୍କଠାରେ କରୋନା ଲକ୍ଷଣ ନ ଥିଲେ ମଧ୍ୟ ସେ ଏବେ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡ଼ିଛି।