ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ, ୨୦।୫: ବାଲେଶ୍ୱର ଜିଲାରେ ବିଭିନ୍ନ ମଣ୍ଡିରେ ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥାନୀୟ ସଦର ବ୍ଲକ ସାରଗାଁ ସମବାୟ ସମିତିରେ ଏହାର ଉଦ୍‌ଘାଟନ କରିଥିଲେ। ଚଳିତବର୍ଷ ପାଇଁ ଏହି ଧାନ ସଂଗ୍ରହ ଓ କ୍ରୟ ପ୍ରକ୍ରିୟା ଜିଲାର ୧୦୯ଟି ମଣ୍ଡିରେ ଆସନ୍ତା ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲାର ମୋଟ୍‌ ୩୪ହଜାର ୮୮୧ଜଣ ଚାଷୀ ରବି ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି ା ଗତ ରବି ଋତୁରେ ଅମଳ ହୋଇଥିବା ଧାନକୁ ଚାଷୀମାନେ ନିକଟସ୍ଥ ମଣ୍ଡିରେ ବିକ୍ରି କରିପାରିବେ। ଧାନକ୍ରୟ କ୍ଷେତ୍ରରେ ସରକାରୀ ନିୟମର ଅନୁପାଳନ, ସମସ୍ତ ପର୍ଯ୍ୟାୟରେ ସ୍ବଚ୍ଛତା ଅବଲମ୍ବନ ସହିତ ଚାଷୀମାନଙ୍କ ସ୍ବାର୍ଥରକ୍ଷା ପାଇଁ ଜିଲାପାଳ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜିଲାରେ ମୋଟ ୪ଲକ୍ଷ ୩୬ହଜାର ୭୬୪ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୨ଜଣ ମିଲର୍ସଙ୍କୁ ଏଥିରେ ସାମିଲ କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସୁବ୍ୟବସ୍ଥିତ ଢଙ୍ଗରେ ଧାନ ସଂଗ୍ରହ ସହ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯେଭଳି ସିଧାସଳଖ ଟଙ୍କା ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାଏଙ୍କ ସମେତ ଯୋଗାଣ ବିଭାଗ କର୍ମଚାରୀ, ସମବାୟ ସମିତିର କର୍ମକର୍ତ୍ତା ଓ ଚାଷୀମାନେ ଉପସ୍ଥିତ ଥିଲେ।

Share