ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ

ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି । ଏହି କ୍ରମରେ ହାଇଦ୍ରାବାଦରେ ଥିବା ଏକ ଷ୍ଟାର୍ଟ ଅପ୍ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିଛି । ପ୍ଲାଷ୍ଟିକ ଦ୍ୱାରା ବଢୁଥିବା ଆବର୍ଜନାକୁ ଦୂରେଇ ଦେବାକୁ ଓ ନିଜକୁ ସୁରକ୍ଷିତ ରଖିବାକୁ ଏକ ଇକୋ ଫ୍ରେଣ୍ଡଲି ବୋତଲ ତିଆରି କରିଥିବା କହିଛନ୍ତି ଆଇଟି ବିଶେଷଜ୍ଞ ସୁନିଥ ତାତିନେନି ଓ ଅୟିନପୁଡି । ତେଣୁ ଏବେ ପ୍ଲାଷ୍ଟିକ ବଦଳରେ ପେପର ବ୍ୟାଗରେ ପାଣି ନେଇ ହେବ ବୋଲି ସେମାନେ ଦାବି କରିଛନ୍ତି । ଆଇଟି ବିଶେଷଜ୍ଞ ସୁନିଥ ତାତିନେନି ଓ ଅୟିନପୁଡି ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ଷ୍ଟାଟ ଅପ୍ ‘କେରୋ ୱାଟର’ ଆରମ୍ଭ କରିଛନ୍ତି । ଏହି କାମ ପାଇଁ ଉଭୟ ଚାକିରି ଛାଡି ଦେଇଛନ୍ତି । ଏହାକୁ ନେଇ ସୁନିତ କୁହନ୍ତି ଯେତେବେଳେ ଜଣେ ବ୍ୟକ୍ତି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ସେତେବେଳେ ସେ ୪-୫ ବୋତଲ ପାଣି ନେଇ ଯାଆନ୍ତି । ଏଥିରୁ ୧୦ ପ୍ରତିଶତରୁ କମ୍ ରିସାଇକ୍ଲ ହେଉଥିବା ବେଳେ ଅନ୍ୟ ଗୁଡିକ ପରିବେଶ ଉପରେ କୁପ୍ରଭାବ ପକାଉଛି ଯାହା ଏବେ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏହାର ସମାଧାନ ଖୋଜି ଆମେ କାର୍ଡବୋର୍ଡରେ ପାଣି ପ୍ୟାକ କରିବା ଆରମ୍ଭ କରିଛୁ ବୋଲି କହିଛନ୍ତି ସୁନିତ । ଏବେ ଏହା ୫ ଲିଟର ଓ ୨୦ ଲିଟର ପ୍ୟାକରେ ମିଳୁଛି ବୋଲି ସେ ପ୍ରକାଶ କରିଛନ୍ତି । ୫ ଲିଟରର ଦାମ୍ ୭୫ ଟଙ୍କା ଥିବା ବେଳେ ୨୦ ଲିଟରର ଦାମ ରହିଛି ୧୨୦ ଟଙ୍କା ।

Share