Categories: ଖେଳ

୪ରୁ ଆରମ୍ଭ, ଭାଗନେବେ ୧୯ ଦଳ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତିକୃଷ୍ଣ ମେମୋରିଆଲ ଭୁବନେଶ୍ୱର ‘ବି’ ଡିଭିଜନ ଫୁଟବଲ ଲିଗ୍‌ ଚଳିତ ମାସ ୪ ତାରିଖରୁ ଆରମ୍ଭ ହେବ। ମ୍ୟାଚଗୁଡ଼ିକ ୟୁନିଟ-୧ ହାଇସ୍କୁଲ ସଂଲଗ୍ନ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଏଥର ୧୯ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ୪ ଗ୍ରୁପ୍‌ରେ ବିଭକ୍ତ କରାଯାଇ ଲିଗ୍‌ ଭିତ୍ତିରେ ମ୍ୟାଚ ଖେଳାଯିବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ ବୋଲି ଆୟୋଜକ ସଂଘ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ପ୍ରକାଶ କରିଛନ୍ତି। ‘ବି’ ଡିଭିଜନ ପ୍ରତିଯୋଗିତା ସରିବା ପରେ ଗତିକୃଷ୍ଣ ମେମୋରିଆଲ ‘ଏ’ ଡିଭିଜନ ଫୁଟବଲ ଲିଗ୍‌ ଆରମ୍ଭ ହେବ। ତା’ ପରେ ଭୁବନେଶ୍ୱର ଆନ୍ତଃସ୍କୁଲ ବାଳକ ଫୁଟବଲ ପ୍ରତିଯୋଗିତା ଏବଂ ସ୍କୁଲ ଲିଗ୍‌ ପରେ ଭୁବନେଶ୍ୱର ଆନ୍ତଃକ୍ଲବ ମହିଳା ଫୁଟବଲ ଲିଗ୍‌ ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଫୁଟବଲ ସମ୍ପାଦକ ଦିଲୀପ କୁମାର ଦାସ ପ୍ରକାଶ କରିଛନ୍ତି। ‘ବି’ ଡିଭିଜନ ଫୁଟବଲ ଲିଗ୍‌ରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକ ହେଲେ କଳିଙ୍ଗ ୟୁଥ୍‌, ମୁକ୍ତେଶ୍ୱର ୟୁନାଇଟେଡ, ବୀର ବିର୍ସା କ୍ଲବ, ମା’ ମଙ୍ଗଳା କ୍ଲବ, ଚନ୍ଦ୍ରଶେଖରପୁର କ୍ରୀଡ଼ା ସଂଘ, ହସିନା କ୍ଲବ, ୟୁନାଇଟେଡ ୟୁଥ୍‌ କ୍ଲବ, କଳିଙ୍ଗ ସ୍ପୋର୍ଟିଂ, ମଦର୍ସ ଫୁଟବଲ କ୍ଲବ, ଆର୍ଡୋର ଏକାଡେମୀ ସିନିୟର ଓ ଜୁନିୟର, ଲୟଲା ଓଡ଼ିଆ ସ୍କୁଲ, ଲିଙ୍ଗରାଜ କ୍ଲବ, ଏସ୍‌ଜିଓ ନୂଆପଲ୍ଲୀ, ଏମ୍‌ଏସ୍‌ ଇଲେଭେନ, ଝାରପଡ଼ା କ୍ଲବ, ଗ୍ଲୋବାଲ କ୍ଲବ, ନିଲ୍‌କମଲ କ୍ଲବ ଏବଂ କିଟ୍‌ ଫୁଟବଲ ଦଳ।

Share