Categories: ଜାତୀୟ

ବିନା ଆଲୋଚନାରେ ଅର୍ଥ ବିଲ୍‌କୁ ଫେରାଇଦେଲା ରାଜ୍ୟ ସଭା

ନୂଆଦିଲ୍ଲୀ,୨୮ା୩ : ରାଜ୍ୟ ସଭା ସୋମବାର ବିନା ଆଲୋଚନାରେ ଅର୍ଥ ବିଲ୍‌କୁ ଗୋଟିଏ ସଂଶୋଧନ ସହ ଲୋକ ସଭାକୁ ଫେରାଇ ଦେଇଛି। ଜମ୍ମୁ-କଶ୍ମୀର ବଜେଟ ଏବଂ ବିନିଯୋଗ ବିଲ୍‌କୁ ମଧ୍ୟ ବିନା ଆଲୋଚନାରେ ଫେରାଇ ଦିଆଯାଇଛି। ଆଦାନୀ ପ୍ରସଙ୍ଗ ନେଇ ଉଚ୍ଚ ସଦନରେ ବିରୋଧୀ ହଟ୍ଟଗୋଳ କରିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଆଲୋଚନା ପାଇଁ ସଦସ୍ୟମାନଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କରଙ୍କ ଆମନ୍ତ୍ରଣ ସତ୍ତ୍ୱେ ବିରୋଧୀମାନେ ଆଦାନୀ ପ୍ରସଙ୍ଗରେ ଆଲୋଚନା ଓ ଏହାର ଜେପିସି ତଦନ୍ତ ଦାବିରେ ଗୃହକୁ ଅଚଳ କରି ରଖିଥିଲେ। ଫଳରେ ବିନା ଆଲୋଚନାରେ ଅର୍ଥ ବିଲ୍‌କୁ ଲୋକ ସଭାକୁ ଫେରାଇଦେବା ଲାଗି ଧ୍ୱନି ମତରେ ଅନୁମୋଦନ ହୋଇଥିଲା। ଗୃହକାର୍ଯ୍ୟ ଚାଲି ନ ପାରିବାରୁ ଧନ୍‌କର ରାଜ୍ୟ ସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ଗତ ସପ୍ତାହରେ ଲୋକ ସଭାରେ ଅଚଳାବସ୍ଥା ଯୋଗୁ ଅର୍ଥ ବିଲ୍‌ ଉପରେ ଆଲୋଚନା ହୋଇ ନ ପାରି ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଲୋକ ସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଥିଲା।

Share