ମହିଳାଙ୍କ ସଶକ୍ତୀକରଣ ଚାହୁଁନି ରାଜ୍ୟ ଭାଜପା: ବିଜେଡି

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସ୍‌ଏଚଜି ଓଡ଼ିଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛନ୍ତି ା ସେମାନେ ଭାରତ ଏବଂ ବିଶ୍ୱ ପାଇଁ ସଫଳ ମହିଳା ଏସ୍‌ଏଚଜି ଆନ୍ଦୋଳନର ଉଦାହରଣ ପାଲଟିଛନ୍ତି। ମାତ୍ର ମହିଳାଙ୍କ ଏହି ସଫଳତା ଓ ସଶକ୍ତୀକରଣକୁ ରାଜ୍ୟ ଭାଜପା ନେତୃତ୍ୱ ସହ୍ୟ କରିପାରୁ ନାହାନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ା
ଶନିବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ୬ ଲକ୍ଷ ଏସ୍‌ଏଚଜିରେ ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ନେଇ ମିଶନ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି। ଯାହା କି ଓଡ଼ିଶାର ମହିଳାମାନଙ୍କୁ ରୋଷେଇ ଘରର ଚାରିକାନ୍ଥରୁ ବାହାର କରାଇ ସମାଜ ପରିବର୍ତ୍ତନକାରୀରେ ପରିଣତ ହୋଇପାରିଛି ା ତେବେ ମହିଳା ଏସ୍‌ଏଚଜି ଭଲ କାର୍ଯ୍ୟ କରୁଥିବା ସତ୍ତ୍ୱେ ଭାଜପା ନେତାମାନେ ଏହାର ସଦସ୍ୟଙ୍କୁ ପ୍ରତିଦିନ ଅପମାନିତ ଏବଂ ଅସମ୍ମାନିତ କରୁଛନ୍ତି ା ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଆଚରଣ ା ଏହା ଦର୍ଶାଉଛି ଯେ ଓଡ଼ିଶାରେ ଚାଲିଥିବା ମହିଳା ସଶକ୍ତୀକରଣ ପ୍ରୟାସ ପ୍ରତି ସେମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଓଡ଼ିଶା ଭାଜପା ନେତାମାନେ ଚାହୁଁଛନ୍ତି ଓଡ଼ିଶାର ମହିଳାମାନେ ଘରର ଚାରିକାନ୍ଥ ଭିତରେ ରହିବା ଉଚିତ ା ସେମାନେ ଚାହାଁନ୍ତି ନାହିଁ ଯେ ମହିଳାମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ଓଡ଼ିଶାର ବିକାଶକୁ ଆଗକୁ ବଢ଼ାନ୍ତୁ। କେବଳ ମିଶନ ଶକ୍ତି ଗୋଷ୍ଠୀର ମହିଳା ନୁହନ୍ତି, ସାଧାରଣ ମହିଳାମାନଙ୍କୁ ମଧ୍ୟ ଓଡ଼ିଶା ଭାଜପା ନେତାମାନେ ଟାର୍ଗେଟ କରୁଛନ୍ତି ା ଭାଜପା ନେତାମାନେ କିପରି ପଦ୍ମପୁର ଏବଂ ଝାରସୁଗୁଡ଼ାରେ ବିଜେଡି ମହିଳା ପ୍ରାର୍ଥୀଙ୍କୁ ଅପମାନିତ ଏବଂ ଅସମ୍ମାନ କରିଥିଲେ ତାହା ସମସ୍ତେ ଜାଣନ୍ତି। ଓଡ଼ିଶାବାସୀଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ସତ୍ତ୍ୱେ ରାଜ୍ୟ ଭାଜପା ଏଥିରୁ କିଛି ଶିଖିବାକୁ ଚାହୁଁନାହିଁ ବୋଲି ଶ୍ରୀମୟୀ କହିଛନ୍ତି ା ଏହି ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ ।

Share