୨୫ରେ ରାଜ୍ୟ ବଜେଟ: ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୨। ୭(ସୁନିତ୍‌ ମିଶ୍ର):ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଉପସ୍ଥିତ ଥିଲେ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ରବିବାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସର୍ବଦଳୀୟ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିବା ପାଇଁ ନବୀନ ନିବାସ ଯାଇଥିଲେ। ହେଲେ ନବୀନ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନ ଥିଲେ। ସେହିଭଳି ସର୍ବଦଳୀୟ ବୈଠକରେ କଂଗ୍ରେସରୁ କେହି ଯୋଗ ଦେଇନାହାନ୍ତି। ସର୍ବଦଳୀୟ ବୈଠକ ବସିବା ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳର ନେତା ଚୟନ ହୋଇପାରି ନ ଥିବାରୁ ପ୍ରଥମ ଥର ପାଇଁ ଦଳ ପକ୍ଷରୁ କୌଣସି ସଦସ୍ୟ ଉପସ୍ଥିତ ନ ଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତ କରିଛି। ବୈଠକରେ ଗୃହକୁ ସୁରୁଖୁରୁରେ ଚଳାଇବା ସକାଶେ ବାଚସ୍ପତି ସମସ୍ତଙ୍କୁ ନିବେଦନ କରିଛନ୍ତି। ଏପରି କି ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେନେଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବାଚସ୍ପତି କହିଛନ୍ତି। ସେହିପରି ଏହି ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଯୋଗ ଦେଇ ସର୍ବଦଳୀୟ ବୈଠକରେ ଗୃହ କିପରି ସୁଚାରୁରୂପେ ଚାଲିବ, ବଜେଟ ଉପରେ କିପରି ଆଲୋଚନା ହେବ, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ ଏବଂ ଓବିଚୁଆରି ଯାହା ଆସିବ ତାହା ଭିତରେ ଆଲୋଚନା ହୋଇଥିବା କହିଛନ୍ତି। ତେବେ ସୋମବାର ବିଧାନସଭାର ବଜେଟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ।
ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବା ନେଇ ଦଳର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଏତେ ପୁରୁଣା ଦଳ, କିନ୍ତୁ ନେତା ବଛାଯାଇପାରୁ ନାହିଁ। ଏହାକୁ ନେଇ କାହାକୁ କ’ଣ ଦାୟୀ କରିହେବ, ସେଥିଲାଗି ନିଜକୁ ଦାୟୀ କରୁଛି। ତାଙ୍କୁ ବିଧାୟକ ଦଳ ନେତା ନ କଲେ ବି ଯାହାକୁ କଲେବି ତାଙ୍କର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ ସର୍ବଦଳୀୟ ବୈଠକରେ କେହି ଯୋଗଦେଇ ପାରିଲେନି ବୋଲି ବାହିନୀପତି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ କହିଛନ୍ତି, ସର୍ବଦଳୀୟ ବୈଠକରେ ଯୋଗଦେବାକୁ ଔପଚାରିକ ଚିଠି ଆସି ନ ଥିବାରୁ କେହି ଯୋଗ ଦେଇପାରିଲେ ନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କଂଗ୍ରେସ ନେତା ବଛା ଯାଇ ନ ଥିବାରୁ ପିସିସି ସଭାପତିଙ୍କ ସହ କଥା ହୋଇଥିଲି। ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ମଧ୍ୟ ଫୋନ୍‌ରେ କଥା ହୋଇଥିଲି। ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି।