Categories: ଜାତୀୟ

ସମ୍ବେଦନଶୀଳ ବୁଥ ସମ୍ପର୍କରେ ସୂଚନା ଦେଇ ନ ଥିଲେ ରାଜ୍ୟ ନିର୍ବାଚନ ଆୟୋଗ: ବିଏସଏଫ…

କୋଲକାତା,୯।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ହିଂସା ନେଇ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ବରିଷ୍ଠ ଅଧିକାରୀ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ସମ୍ବେଦନଶୀଳ ବୁଥ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଅଧିକାରୀ କହିଛନ୍ତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଉପରେ ବିଏସଏଫ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ନିର୍ବାଚନ ଆୟୋଗ ଏଭଳି ବୁଥ ନେଇ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ କୌଣସି ସୂଚନା ଦେଇ ନ ଥିଲେ।

ବିଏସଏଫ ଡିଜି ଏସ ଗୁଲେରିଆ କହିଛନ୍ତି ସୀମା ସୁରକ୍ଷା ବଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସମ୍ବେଦନଶୀଳ ମତଦାନ କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ମାଗିଥିଲେ, କିନ୍ତୁ ଜୁନ ୭ ବ୍ୟତୀତ ଅନ୍ୟ କୌଣସି ଦିନ କିଛି ମଧ୍ୟ ସୂଚନା ପ୍ରଦାନ କରାଯାଇ ନ ଥିଲା। କେବଳ ସମ୍ବେଦନଶୀଳ ବୁଥ ସଂଖ୍ୟା ଦିଆଯାଇଥିଲା, କିନ୍ତୁ ସେମାନଙ୍କ ଅବସ୍ଥାନ କିମ୍ବା ଅନ୍ୟ କୌଣସି ସୂଚନା ବିଷୟରେ କିଛି ଦିଆଯାଇ ନ ଥିଲା।

ଅଧିକାରୀ କହିଛନ୍ତି ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ବିଏସଏଫ ନିୟୋଜନ କରାଯାଇଥିଲା। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ରାଜ୍ୟ ସଶସ୍ତ୍ର ପୋଲିସର ୫୯,୦୦୦ କଣ୍ଟିଜେଣ୍ଟ ନିର୍ବାଚନ ଡ୍ୟୁଟି ପାଇଁ ୨୫ ଟି ରାଜ୍ୟରୁ ଆସିଥିଲେ, କିନ୍ତୁ ସେମାନଙ୍କୁ ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ମୁତୟନ କରାଯାଇ ନ ଥିଲା। ସେ କହିଛନ୍ତି ରାଜ୍ୟ କେବଳ ସିଏପିଏଫ ଦ୍ୱାରା ପରିଚାଳିତ ୪,୮୩୪ ସମ୍ବେଦନଶୀଳ ବୁଥ ଘୋଷଣା କରିଥିବାବେଳେ ବାସ୍ତବରେ ସେଠାରେ ଅଧିକ ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଥିଲା।

Share