ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାରେ ରାଜ୍ୟ ସରକାର ବିଫଳ: ଭାଜପା

ଭୁବନେଶ୍ୱର,୩।୪(ସୁନିତ୍‌ ମିଶ୍ର):ଦେଶର ଉନ୍ନତିରେ ଶିଳ୍ପ କ୍ଷେତ୍ରର ବଡ଼ ଭୂମିକା ରହିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ବିକଶିତ ଭାରତ ଗଠନକୁ ଆଗେଇ ନେଉଛି। କିନ୍ତୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଯେଉଁଭଳି ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୃଷ୍ଟି ହୋଇପାରୁଛି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ତାହା ସଫଳ ହୋଇପାରୁନାହିଁ। ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ଆଜି ଓଡ଼ିଶାର ଶିଳ୍ପାୟନରେ ବାଧା ସୃଷ୍ଟି କରିଛି ବୋଲି ବରିଷ୍ଠ ନେତା ତଥା ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ତପନ କୁମାର ଚାନ୍ଦ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଚାନ୍ଦ କହିଛନ୍ତି ଯେ, ଦେଶରେ ଯେଉଁ ୧୦ଟି ରାଜ୍ୟରେ ସର୍ବାଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ଅନୁଷ୍ଠାନ ଅଛି ସେହି ତାଲିକାରେ ଓଡ଼ିଶାର ସ୍ଥାନନାହିଁ। ଓଡ଼ିଶାରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ, ସ୍ଥିର ସରକାର, ମାନବ ସମ୍ବଳ ଥିବା ସତ୍ତ୍ୱେ କାହିଁକି ନୂଆ ଶିଳ୍ପ ପ୍ରତିଷ୍ଠା ହେଉନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ଯେଉଁ ୧୯ ଲକ୍ଷ ଏମ୍‌ଏସ୍‌ଏମଇ ଅଛି ବୋଲି ସରକାର କହୁଛନ୍ତି ସେଥିରୁ ମାତ୍ର ୫ ଲକ୍ଷ କାର୍ଯ୍ୟକ୍ଷମ ହେଉଛି, ଯାହାକି ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ମାତ୍ର ୨୫% କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବାସ୍ତବରେ ଉପତ୍ାଦନକ୍ଷମ ହୋଇପାରିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ମୋଦିଙ୍କ ବିକଶିତ ଭାରତ ସହିତ ଏକ ବିକଶତି ଓଡ଼ିଶାର ଲକ୍ଷ୍ୟ ପୂରଣ ହୋଇବାରିବ ବୋଲି ଚାନ୍ଦ କହିଛନ୍ତି।

Share