ରାଜ୍ୟ ସରକାରଙ୍କୁ ରାସ୍ତାରେ ବୁଲୁଥିବା ବେଘର-ରୋଗାକ୍ରାନ୍ତଙ୍କ ରିପୋର୍ଟ ତଲବ…

ଚେନ୍ନାଇ,୧୪।୧୦: ରାସ୍ତାରେ ବୁଲୁଥିବା ବେଘର ମାନସିକ ରୋଗୀ ତଥା ରୋଗାକ୍ରାନ୍ତଙ୍କ ରିପୋର୍ଟ ସରକାରଙ୍କୁ ତଲବ କରିଛନ୍ତି ମାଡ୍ରାସ୍‌ ହାଇକୋର୍ଟ। ଏହା ସହିତ ସରକାରୀ ଆଶ୍ରୟ ଶିବିରର ନବୀକରଣ ଏବଂ ନିର୍ମାଣ ସମ୍ପର୍କିତ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କଠାରୁ ମାଗିଛନ୍ତି। ଏସବୁ ଲୋକଙ୍କୁ ଟିକାକରଣ କରାଯାଇଛି କି ନାହିଁ ତାହାର ସୂଚନା ମଧ୍ୟ କୋର୍ଟ ଲୋଡିଛନ୍ତି।

ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ପି.ଡି. ଅଡିକେସଭାଲୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା (ପିଆଇଏଲ)ର ଶୁଣାଣି ସମୟରେ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇ ରାଜ୍ୟ ସରକାରଙ୍କ କୁହାଯାଇଛି ଯେ ୩୯୬ ଜଣ ରସ୍ତାରେ ବୁଲୁଥିବା ମାନସିକ ରୋଗୀଙ୍କୁ ଉଦ୍ଧାର କରାଯାଇ ରାଜ୍ୟ ଆଶ୍ରୟ ଓ ଥଇଥାନ ଗୃହ (ପୁନର୍ବାସ)ରେ ଭର୍ତ୍ତି କରାଯାଇଛି।

ଏହା ସହିତ ରାଜ୍ୟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ଏଭଳି ଲୋକଙ୍କର ମଧ୍ୟ ଟିକାକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି। ଏଭଳିି ଲୋକଙ୍କ ପାଇଁ ମେଲପକ୍କାମରେ ଏକ ସରକାରୀ ପୁନର୍ବାସ ଶିବିର ରହିଛି। ଏହାକୁ ତାମିଲନାଡୁ ରାଜ୍ୟ ସରକାରଙ୍କ ୧୯୪୫ ଭିକାରୀ ନିବାରଣ ଆଇନ ଧାରା ୧୩ ଅନ୍ତର୍ଗତ ସ୍ଥାପନା କରାଯାଇଛି। ଏହି ଶିବିର ୧୯୫୪ରେ ସ୍ଥାପିତ ହୋଇଥିଲା ଏବଂ ବର୍ତ୍ତମାନ ଏହା ଭଙ୍ଗାରୁଜା ହୋଇପଡିଛି। ତେଣୁ ଏହି ଶିବିରର ନବୀକରଣ ତଥା ପୁନର୍ନିର୍ମାଣ ତଥା ଖୋଲା ଅଞ୍ଚଳରେ ନୂତନ ଆବାସ ପାଇଁ ସମସ୍ତ ଉଦ୍ୟମ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାନସିକ ରୋଗଗ୍ରସ୍ତ ଲୋକଙ୍କୁ ଏଭଳି ସ୍ଥାନରେ ସ୍ବାସ୍ଥ୍ୟକର ପରିବେଶରେ ରଖିବାକୁ କୋର୍ଟ କହିଛନ୍ତି।

ରାଜ୍ୟରେ ଥିବା ମାନସିକ ରୋଗୀଙ୍କ ସଂଖ୍ୟା ଏବଂ ସେମାନଙ୍କର ଟିକାକରଣ କରାଯାଇଥିବାର ସବିଶେଷ ତଥ୍ୟ ରିପୋର୍ଟ ଅଦାଲତ ରାଜ୍ୟ ସରକାରଙ୍କଠାରୁ ଲୋଡିଛନ୍ତି। ମାନସିକ ରୋଗୀଙ୍କ ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଯଦି ଏକ ବୈଠକ ଆୟୋଜନ କରାଯାଇ ବିଭାଗୀୟ ଅଧିକାରୀଙ୍କୁ ଭେଟିବା ପାଇଁ ଆବେଦନକାରୀଙ୍କୁ କୋର୍ଟ ସ୍ବାଧୀନତା ମଧ୍ୟ ପ୍ରଦାନ କରିଛନ୍ତି।

Share