ରାଜ୍ୟ ସରକାର ଆଦିବାସୀଙ୍କ ସ୍ବାର୍ଥର ପରିପନ୍ଥୀ: କଂଗ୍ରେସ

ଭୁବନେଶ୍ୱର, ୨୪।୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଦିବାସୀମାନଙ୍କ ସ୍ବାର୍ଥର ପରିପନ୍ଥୀ। ଓଡ଼ିଶା ଅନୁସୂଚିତ ଅଞ୍ଚଳ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟମ-୧୯୫୬(ଓସାଟିପ)ର ସଂଶୋଧନ ଏହାର ସଦ୍ୟତମ ଉଦାହରଣ। ନଭେମ୍ବର ୧୪ କ୍ୟାବିନେଟ ବୈଠକରେ ଏପରି ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନିଆଗଲା ଏବଂ ନଭେମ୍ବର ୧୬ରେ ଏପରି ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରାଗଲା। ଏହା ସ୍ପଷ୍ଟ ପ୍ରମାଣ କରୁଛି, ବିନା ବୁଝିବିଚାରି ସରକାର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଆଦିବାସୀଙ୍କ ଜମି ଅଧିକାରର ସୁରକ୍ଷା ପ୍ରଥମେ ୧୯୫୬ରେ ଓସାଟିପ ନିୟମ, ୨୦୦୬ରେ ଜଙ୍ଗଲ ଜମି ଅଧିକାର ଆଇନ ଓ ୨୦୧୩ ଜମି ଅଧିଗ୍ରହଣ ଏବଂ ପୁନର୍ବସତି ଆଇନରେ ପ୍ରଶସ୍ତ ପ୍ରାବଧାନ ମାନ କରାଯାଇଥିଲେ ମଧ୍ୟ ବିଜେଡି ସରକାରଙ୍କ ଏହି ନିଷ୍ପତ୍ତି ଅଭିସନ୍ଧିିମୂଳକ ବୋଲି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି। ଗୁରୁବାର କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣେଶ୍ୱର କହିଛନ୍ତି, ଆଦିବାସୀ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ଆଦିବାସୀ ପରାମର୍ଶଦାତା ପରିଷଦ (ଟିଏସି)ର ସୁପାରିସକ୍ରମେ କ୍ୟାବିନେଟ୍‌ ନିଷ୍ପତ୍ତି ନିଆଯାଇଥିବା ସରକାର କହୁଛନ୍ତି। କିନ୍ତୁ ବାସ୍ତବରେ ଟିଏସି ବୈଠକରେ ଆଦିବାସୀ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନ ଥିଲା। ସରକାର ଚଞ୍ଚକତା କରି ଅଣଆଦିବାସୀ, ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ବାର୍ଥ ସାଧନ ପାଇଁ ଏପରି ହେରଫେର କରିବା ଅକ୍ଷମଣୀୟ। ୨୦୧୦ରେ ରାଜ୍ୟ ସରକାରଙ୍କ ଅନୁରୂପ ଉଦ୍ୟମ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ବୋଲି ଗଣେଶ୍ୱର କହିଛନ୍ତି।

Share