ସ୍କୁଲ ଖୋଲିବାକୁ ଭୟ କରୁଛନ୍ତି ରାଜ୍ୟ ସରକାର, ତାରିଖ ଘୋଷଣା ପରେ ପୁଣି ପଛଉଛନ୍ତି…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଅପରପକ୍ଷରେ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲକ୍‌ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଥିଲା। କେତେକ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ତାରିଖ ଘୋଷଣା କରିଥିଲେ ମଧ୍ୟ ତୃତୀୟ ଲହର ଭୟରେ କରୁଛନ୍ତି। ରାଜସ୍ଥାନ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨ରେ ସ୍କୁଲ ଖୋଲଯିବା ଲାଗି ଘୋଷଣା କରାଯାଇଥିଲା। ତେବେ ଏବେ ଏହାକୁ ସରକାରଙ୍କ ପକ୍ଷରୁ ପୁଣି ଫେରାଇ ନିଆଯାଇଛି। ବିଶେଷଜ୍ଞ କମିଟି ଗଠନ କରାଯିବା ପରେ ସ୍କୁଲ ଖୋଲିବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି। କମିଟିରେ ରାଜ୍ୟ ସରକାରଙ୍କ ୫ ଜଣ ମନ୍ତ୍ରୀ ସାମିଲ ହେବେ। ସେମାନଙ୍କ ମଧ୍ୟରେ ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇଟି ମନ୍ତ୍ରୀ ପ୍ରମୁଖ ରହିଛନ୍ତିି। ସେହିପରି ପୁଡୁଚେରୀରେ ଜୁଲାଇ ୧୬ରୁ ସ୍କୁଲ ଖୋଲାଯିବା ଲାଗି ଘୋଷଣା କରାଯାଇଥିଲା। ତେବେ ପରେ ଏହାକୁ ରଦ୍ଦ କରାଯାଇଥିଲା। କର୍ନାଟକ ସରକାରଙ୍କ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ଗୁଜରାଟ ଆଦି ରାଜ୍ୟରେ ଜୁଲାଇ ୨୬ରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କପକ୍ଷରୁ ଘୋଷଣା କରାଯାଇଛି। ବିହାରରେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ସ୍କୁଲ୍‌ ଖୋଲିଯିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Share