କଲରାପତରିଆ ବାଘ ଗଣିବେ ନବୀନ ସରକାର

ଭୁବନେଶ୍ୱର, ୨।୩(ଅସମାପିକା ସାହୁ): ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ଆସନ୍ତା ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ। ରାଜ୍ୟର ସବୁ ଅଞ୍ଚଳରେ କଲରାପତରିଆ ଗଣନା ହେବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଶୁକ୍ରବାର ସୂଚନା ଦେଇଛନ୍ତି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଏବଂ ଓ୍ବାଇଲ୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ ଦେଶରେ ହୋଇଥିବା କଲରାପତରିଆ ଗଣନା ରିପୋର୍ଟ-୨୦୨୨ ଗୁରୁବାର ପ୍ରକାଶ ପାଇଥିଲା, ଯେଉଁଥିରେ ଦେଶରେ ଗତ ୪ବର୍ଷରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଥିବାବେଳେ ଓଡ଼ିଶାରେ ହ୍ରାସ ପାଇଥିବା ଦର୍ଶାଯାଇଥିଲା। ୨୦୧୮ ମସିହାରେ ହୋଇଥିବା ଗଣନା ବେଳେ ରାଜ୍ୟରେ ୭୬୦ଟି କଲରାପତରିଆ ବାଘ ଥିବାବେଳେ ୨୦୨୨ରେ ଏହା ୫୬୮କୁ ହ୍ରାସ ପାଇଛି। ତେଣୁ ନିଜସ୍ବ ଗଣନା ପାଇଁ ରାଜ୍ୟ ବନ ବିଭାଗ ନିଷ୍ପତ୍ତି ନେଇଛି। ଏ ନେଇ ପିସିସିଏଫ୍‌ କହିଛନ୍ତି, ଏନ୍‌ଟିସିଏ ରିପୋର୍ଟକୁ ତର୍ଜମା କରାଯାଉଛି। ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ୁଛି। ତେଣୁ ଏହାକୁ ରାଜ୍ୟସ୍ତରରେ ସଂଶୋଧନ କରାଯିବ। ପ୍ରଥମତଃ ଏହା ଏନ୍‌ଟିସିଏର ଏକ ଆକଳନ ରିପୋର୍ଟ। ଦ୍ୱିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍‌ ଲଗାଇଥିଲେ। କିନ୍ତୁ ୨୦୧୮ ଆକଳନବେଳେ ୧୪ ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା, ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ। ତେବେ ୨୦୨୨ରେ ଏନ୍‌ଟିସିଏ କ୍ୟାମେରା ଟ୍ରାପ ଲଗାଇଥିବା ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର। ଯଦି ଶିମିଳିପାଳ ଓ ସାତକୋଶିଆ ବଫର ଏରିଆରେ କ୍ୟାମେରା ଲାଗିଥାନ୍ତା, ତା’ହେଲେ ସଂଖ୍ୟା ଆହୁରି ବଢ଼ିଥାନ୍ତା। ଏନ୍‌ଟିସିଏ କଲରାପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ। କିନ୍ତୁ ସେମାନେ ବହୁତ କମ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଯାଉଛି ବୋଲି ପିସିସିଏଫ୍‌ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମହାବଳ ବାଘ ସଂଖ୍ୟା କମ୍‌ ଦର୍ଶାଇବା ପରେ ରାଜ୍ୟ ସରକାର ଏହାକୁ ଚାଲେଞ୍ଜ କରିଥିଲେ। ରାଜ୍ୟରେ ଅଧିକ ବାଘ ଥିବା କହିବା ସହ ରାଜ୍ୟ ସରକାର ନିଜସ୍ବ ବାଘ ଗଣନା କରିଲେ। ରାଜ୍ୟରେ ୩୦ଟି ମହାବଳ ବାଘ ଥିବା ନେଇ ନିକଟରେ ରିପୋର୍ଟ ପ୍ରକାଶ ପାଇଥିଲା। ସେହିଭଳି ଏବେ ଏନ୍‌ଟିସିଏର କଲରାପତରିଆ ଗଣନା ରିପୋର୍ଟକୁ ମଧ୍ୟ ବନ ବିଭାଗ ସ୍ବୀକାର କରୁନାହିଁ। ରାଜ୍ୟରେ ଆହୁରି ଅଧିକ ସଂଖ୍ୟକ କଲରାପତରିଆ ଥିବା କହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ କଲରାପତରିଆ ବାଘ ପାଇଁ ବି ନିଜସ୍ବ ଗଣନା କରିବେ ବୋଲି କହୁଛନ୍ତି।

Share