ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ: ଜିଲାପାଳ

ବଲାଙ୍ଗୀର ଅଫିସ,୧୩।୧: ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ୯, ୧୧, ୧୫ ଓ ୧୭ ବର୍ଷ ବର୍ଗର ଏହି ପ୍ରତିଯୋଗିତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।
ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲାପାଳ ଚଞ୍ଚଲ ରାଣା, ସମରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ଜିଲାପାଳ ରାଣା ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଥିଲେ। ବଲାଙ୍ଗୀର ଏସ୍‌ପି ନିତିନ କୁଶଲକର ବ୍ୟାଡମିଣ୍ଟନ ସଂଘର ଉଦ୍ୟମକୁ ପ୍ରଶଂସା କରିବା ସହ ବ୍ୟାଡମିଣ୍ଟନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଘ ସଭାପତି ଗୋପାଳ ପଣ୍ଡା, ଜିଲା ସଂଘ କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ପିଆର୍‌ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ସିଏସି ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରେଫରି ଲକ୍ଷପତି ନନ୍ଦ ଓ ଡେପୁଟି ରେଫରି ଜୟନ୍ତ ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅତିଥିମାନଙ୍କୁ ଜିଲା ସଂଘର କାର୍ଯ୍ୟକର୍ତ୍ତା ଫୁଲତୋଡା ଦେଇ ସ୍ବାଗତ କରି ମଞ୍ଚକୁ ପାଛୋଟି ନେଇଥିଲେ । ମଞ୍ଚରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ପର୍ବ ପରେ ମୁଖ୍ୟ ଅତିଥି ମିଶ୍ର ଫିତା କାଟି ଖେଳର ଆରମ୍ଭ ଘୋଷଣା କରିଥିଲେ। ପ୍ରଥମ ଦିନରେ ମିନି ଓ ସବ୍‌ ଜୁନିଅର ବର୍ଗର ସମୁଦାୟ ୮୫ଟି ମ୍ୟାଚ ହେବାର ସୂଚନା ରହିଛି । ସହରର ଶହ ଶହ ଛାତ୍ରୀଛାତ୍ର, ଖେଳପ୍ରେମୀ ପ୍ରତିଯୋଗିତାକୁ ବେଶ୍‌ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

Share