ଭୁବନେଶ୍ୱର, ୧୯।୧୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଟାଉନ୍ କ୍ଲବ ପଡ଼ିଆରେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ (କାଭି) ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପୁରୁଷ ଦୃଷ୍ଟିବାଧିତ କ୍ରିକେଟ୍ ଟୁର୍ନାମେଣ୍ଟ୍ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି, ଭୁବନେଶ୍ୱରର ୩ କର୍ପୋରେଟର ବିରଞ୍ଚି ମହାସୂପକାର, ଶିବ ପ୍ରସାଦ ବେହେରା, ଚନ୍ଦ୍ର ଶେଖର ମାଲିଆ, ଭୁବନେଶ୍ୱର ଟାଉନ୍ କ୍ଲବର ସମ୍ପାଦକ, ପୃଥ୍ବୀକାନ୍ତ ମହାପାତ୍ର, ଟାଉନ୍ କ୍ଲବ ପଡ଼ିଆର ପ୍ରଭାରୀ ନିହାର ରଞ୍ଜନ ପଟ୍ଟନାୟକ, ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷା କଳ୍ପନା ଦାସ ଏବଂ ସ୍ପେଶାଲ ଅଲିମ୍ପିକ ଭାରତ ଓଡ଼ିଶାର ଏରିଆ ଡାଇରେକ୍ଟର ପ୍ରକାଶ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଉତ୍ସବ ଆରମ୍ଭରେ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ସଂଘ ସଭାପତି ମହମ୍ମଦ ଜାଫର ଇକବାଲ ନିଜର ମତ ରଖିଥିଲେ। କାଭି ଓଡ଼ିଶାର ସମ୍ପାଦକ ତଥା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସନ୍ନ୍ୟାସୀ କୁମାର ବେହେରା ସଂଯୋଜନା କରିଥିଲେ। ପ୍ରଥମ ଦିନରେ ଟାଉନ୍ କ୍ଲବ ପଡିଆ ଏବଂ ବିଏମ ହାଇସ୍କୁଲ ପଡିଆରେ ତିନୋଟି ଲେଖାଏ ଲିଗ୍ ମ୍ୟାଚ୍ ହୋଇଥିଲା। ପୁଲ୍ ‘ଏ’ର ସମସ୍ତ ଲିଗ୍ ମ୍ୟାଚ୍ ଶେଷ ହୋଇଥିବାବେଳେ କୋରାପୁଟ ଏବଂ ରେଭେନ୍ସା ସେମିଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଫାଇନାଲ ଅନୁଷ୍ଠିତ ହେବ।