Categories: ଖେଳ

ଆଜିଠୁ ପୁରୀରେ ରାଜ୍ୟସ୍ତରୀୟ ଖୋ ଖୋ

ପୁରୀ,୧୯ା୧୦(ଅଜିତ ମହାନ୍ତି): ତାଳବଣିଆ ଷ୍ଟାଡିୟମରେ ଚଳିତ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଜିଲାରୁ ୧୨୫୦ ଖେଳାଳି ଓ ଅଫିସିଆଲ୍‌ ଅଂଶଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗ, ଜିଲା କ୍ରୀଡ଼ା କାର୍ଯ୍ୟାଳୟ ଏବଂ ରାଜ୍ୟ ଖୋ ଖୋ ସଂଘ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ସମ୍ପର୍କରେ ବୁଧବାର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସୂଚନା ଦେଇ ଅତିରିକ୍ତ ଜିଲାପାଳ ସାହୁ କହିଲେ, ରାଜ୍ୟ ସ୍ତରର ୧୬ତମ ସବ୍‌ଜୁନିୟର ଓ ୧୨ତମ ଜୁନିୟର ଖୋ ଖୋ ପ୍ରତିଯୋଗିତା ଦୁଇଟି ବର୍ଗରେ ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ୍‌ ସବ୍‌ଜୁନିୟର ଓ ୧୮ ବର୍ଷରୁ କମ୍‌ ଜୁନିୟର ବର୍ଗରେ ୨୨ ଓ ସବ୍‌ଜୁନିୟର ବର୍ଗରେ ୧୮ଟି ଦଳ ଭାଗନେବେ। ସେମାନଙ୍କ ରହଣି, ଖାଦ୍ୟ ଓ ପାନୀୟଜଳ, ଖେଳାଳି ପରିବହନ, ସ୍ବାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି କାର୍ଯ୍ୟସୂଚୀ ଅନୁସାରେ ମ୍ୟାଚ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର କହିଥିଲେ, ଉଭୟ ସବ୍‌ଜୁନିୟର ଓ ଜୁନିୟର ଦଳ ମୋଟ ୯୦ଟି ମ୍ୟାଚ ଖେଳିବେ। ୨୨ ତାରିଖରେ ଫାଇନାଲ ହୋଇ ଶ୍ରେଷ୍ଠ ଦଳକୁ ପୁରସ୍କୃତ କରାଯିବ। ପ୍ରଦର୍ଶନ ଆଧାରରେ ରାଜ୍ୟସ୍ତରର ଶ୍ରେଷ୍ଠ ଦଳକୁ କର୍ନାଟକର ତିପ୍‌ତୁରଠାରେ ଡିସେମ୍ବରରେ ହେବାକୁ ଥିବା ଜାତୀୟ ସ୍ତର ପାଇଁ ପଠାଯିବ ବୋଲି ସେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ଖୋ ଖୋ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆର୍‌ଟିଓ ରବିନ ପଟ୍ଟନାୟକ, ଜିଲା କ୍ରୀଡ଼ା ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର ଦାସ ମହାପାତ୍ର, ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ୱାଟ୍‌କୋ ସହକାରୀ ଯନ୍ତ୍ରୀ ସୁଧାକର ନାୟକ, ପୁରୀ ପୌରପାଳିକାର ସାନିଟାରୀ ଏକ୍ସପର୍ଟ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

Share