Categories: ଖେଳ

ରାଜ୍ୟସ୍ତରୀୟ ଖୋ ଖୋ ଉଦ୍‌ଘାଟିତ

ପୁରୀ ଅଫିସ, ୧୪ା୧୧: ପୁରୀ ଜିଲା ହାଇସ୍କୁଲ ପରିସରରେ ରବିବାରଠାରୁ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏହା ୩ଦିନ ଧରି ଚାଲିବ। ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକା ଦେଖାଇ ଚାମ୍ପିୟନଶିପ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜିଲାପାଳ ଅଭିଭାଷଣ ଦେଇ କହିଥିଲେ, କ୍ରୀଡ଼ା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ସହାୟକ ହୋଇପାରିବ। ଖୋ ଖୋ ଓଡ଼ିଶାର ଏକ ପ୍ରମୁଖ ଖେଳ। ଏହାର ପ୍ରଚାର ପ୍ରସାର ଦିଗରେ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁ, ପୁରୀ ଜିଲା ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ଜିଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଖୋ ଖୋ ଚାମ୍ପିୟନଶିପ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆୟୋଜନରେ ସହଯୋଗ କରିଥିବାରୁ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ। ପୁରୀ ଖୋ ଖୋ ଦଳର ଭରତ ପ୍ରଧାନ ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ଶପଥ ପାଠ କରାଇଥିଲେ।

ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିଥିଲେ। ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ଧନ୍ୟବାଦ ଦେଇଥିଲେ। ପ୍ରଥମ ଦିନରେ ବିଭିନ୍ନ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲାର ଟିମ୍‌ ସମେତ କିଟ୍‌ ବିଶ୍ୱବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋଟର୍‌ସ ହଷ୍ଟେଲର ଉଭୟ ପୁରୁଷ ଓ ମହିଳା ଦଳ ଭାଗ ନେଇଛନ୍ତି। ଉଭୟ ମହିଳା ଓ ପୁରୁଷ ଚାମ୍ପିୟନ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅପ୍‌ ଦଳକୁ ୭ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ୩ୟ ଓ ୪ର୍ଥ ଦଳକୁ ୫ ହଜାର ଟଙ୍କା ଲେଖାଏ ଏବଂ ୩ ଶ୍ରେଷ୍ଠ ଖେଳାଳିଙ୍କୁ ୨ହଜାର ଟଙ୍କା ଲେଖାଏ ପୁରସ୍କାର ଓ ଟ୍ରଫି ଦିଆଯିବ। ଉକ୍ତ ପ୍ରତିଯୋଗିତାରେ ଚୟନ ଶ୍ରେଷ୍ଠ ଖେଳାଳି ଓ ଦଳ ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଥିବା ୫୫ତମ ଜାତୀୟ ଖୋ ଖୋ ଚାମ୍ପିୟନଶିପ୍‌ରେ ଭାଗନେବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Share