Categories: ଖେଳ

ରାଜ୍ୟସ୍ତରୀୟ ପାରା ସନ୍ତରଣ ଉଦ୍‌ଯାପିତ

ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ୨ ଦିନିଆ ରାଜ୍ୟସ୍ତରୀୟ ପାରା ସୁଇମିଂ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା, ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା।

ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରି ବଲାଙ୍ଗୀରର ଦୀନେଶ୍‌ ମୋହନ ମାଝି ଏବଂ ଗଞ୍ଜାମର ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରଥମ ଦୁଇ ସ୍ଥାନ ଅଧିକାର କରିଛନ୍ତି। ଏସ୍‌-୧୦ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦୀନେଶ ୫୦ ମିଟର ଫ୍ରିଷ୍ଟାଇଲ, ୨୦୦ ମିଟର ଫ୍ରିଷ୍ଟାଇଲ, ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଓ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ଓଭରଅଲ୍‌ ବିଜେତା ସାବ୍ୟସ୍ତ ହୋଇଛନ୍ତି। ସେହିପରି ଏସ୍‌-୧୦ ବର୍ଗରେ ପୂର୍ଣ୍ଣଚନ୍ଦ୍ର ୧୦୦ ମିଟର ଫ୍ରିଷ୍ଟାଇଲ, ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଓ ୫୦ ମିଟର ବଟରଫ୍ଲାଏରେ ସ୍ବର୍ଣ୍ଣ ଏବଂ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ବ୍ରୋଞ୍ଜ ପଦକ ହାସଲ କରି ଉପବିଜେତା ହୋଇଛନ୍ତି।

ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜାତୀୟସ୍ତରରେ ଖେଳିବା ପାଇଁ ସୁଯୋଗ ମିଳିବ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ମୁଖ୍ୟ ଅତିଥି ଏବଂ ପାରା ଅଲିମ୍ପିଆନ ମାର୍କଣ୍ଡ ରେଡ୍ଡୀ, ଅଭିନବ ବିନ୍ଦ୍ରା ସ୍ପୋଟର୍‌ସ ମେଡିସିନ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏବିଏସ୍‌ଏମ୍‌ଏଆର୍‌ଆଇ) ପ୍ରିନ୍ସିପାଲ ଚିନ୍ମୟ କୁମାର ପାତ୍ର ସମ୍ମାନ୍‌ନୀୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ପାରା ସ୍ପୋଟର୍‌ସ ସଂଘ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share