ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ବଢିବ ଓଡ୍ରାଫ୍‌ ୧୦ ୟୁନିଟ୍

ଭୁବନେଶ୍ୱର,୪ା୭(ଅନିଲ ଦାସ): କଟକ, ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତା ନିଆଯାଇ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ରାଜ୍ୟ, ଜିଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ଦେଶରେ ଓଡ୍ରାଫ୍‌ ହେଉଛି ପ୍ରଥମ ରାଜ୍ୟସ୍ତରୀୟ ଡିଜାଷ୍ଟର ରେସ୍‌ପନ୍ସ ଫୋର୍ସ ଏବଂ ଏହା ସର୍ବଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଖୋଜିବା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ ଓଡ଼ିଶା ପାଇଁ ସୁନାମ ଆଣିଛି। ବର୍ତ୍ତମାନ ଓଡ୍ରାଫ୍‌ର ୨୦ଟି ୟୁନିଟ୍‌ ଥିବାବେଳେ ଏହାକୁ ୩୦କୁ ବୃଦ୍ଧି କରି ଏକ ଉତ୍ସର୍ଗୀକୃତ ଫୋର୍ସ କରିବାକୁ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।

ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି। ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରବଳ ବର୍ଷା ଯୋଗୁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହେଉଥିବାରୁ ନଗର ଉନ୍ନୟନ ବିଭାଗ ପୌରାଞ୍ଚଳରେ ଥିବା ଡ୍ରେନ୍‌ଗୁଡ଼ିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସତର୍କ ମୋବାଇଲ ଆପ୍‌ ମାଧ୍ୟମରେ ଯେପରି ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍‌ ସମ୍ପର୍କରେ ସଚେ।ତନ ସୃଷ୍ଟି କରାଯିବ। ବର୍ଷାଦିନେ ସାପ କାମୁଡ଼ାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ(ଆଣ୍ଟି ସ୍ନେକ୍‌ ଭେନମ୍‌) ଗଚ୍ଛିତ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାହାନଗାର ଟ୍ରେନ୍‌ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ଟି ଆଞ୍ଚଳିକ ଅଗ୍ନିଶମ ସେବା ହବ୍‌ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନେ ଉପସ୍ଥିତ ଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ।