Categories: ଜାତୀୟ

ଦୁର୍ନୀତି ଯୋଗୁ ୪୩.୨% ଭାରତୀୟଙ୍କ ଖୁସି ପ୍ରଭାବିତ

ନୂଆଦିଲ୍ଲୀ,୧୮।୩ (ପି.ଟି.):ଦୁର୍ନୀତି ଯୋଗୁ ୪୩.୨ ପ୍ରତିଶତ ଭାରତୀୟଙ୍କ ଖୁସି ପ୍ରଭାବିତ ହେଉଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ମହିଳାଙ୍କ ତୁଳନାରେ ପୁରୁଷଙ୍କର ଏ ସମ୍ପର୍କିତ ଅନୁଭବ କମ୍‌ ବୋଲି ହାପିପ୍ଲସ୍‌ କନ୍‌ସଲ୍ଟିଂର ‘ଷ୍ଟେଟ୍‌ ଅଫ୍‌ ହାପିନେସ୍‌’ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ଭାରତୀୟମାନେ ପୂର୍ବାପେକ୍ଷା ଖୁସି ଅଛନ୍ତି ଏବଂ ଦେଶର ଜୀବନ-ମୂଲ୍ୟାୟନ ସ୍କୋର ୬.୮୪ ରହିଛି। ଖୁସି ର଼୍ୟାଙ୍କିଙ୍ଗ୍‌ରେ ହିମାଚଳପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଣ୍ଡିଚେରୀ, ଚଣ୍ଡିଗଡ଼, ଦିଲ୍ଲୀ ଓ ଗୋଆ ଆଗରେ ରହିଛି।
ଅଧ୍ୟୟନ ଅନୁଯାୟୀ ସରକାର ଏବଂ ବ୍ୟବସାୟରେ ଦୁର୍ନୀତି ଅଧିକ ବୋଲି ୪୩.୨ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି। ଦୁର୍ନୀତି ଯୋଗୁ ଲୋକେ ହତୋତ୍ସାହିତ ହେଉଛନ୍ତି। ଏହା ଖୁସି ମାପିବା ପାଇଁ ବ୍ୟବହୃତ ମୂଲ୍ୟାୟନକୁ ପ୍ରଭାବିତ କରୁଛି। ଦେଶର ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ୨୦,୦୭୩ ଜଣଙ୍କ ସାକ୍ଷାତ୍‌କାର ନିଆଯାଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ନକାରାତ୍ମକ ସ୍ଥିତିରେ ମାନସିକ ସୁସ୍ଥତାକୁ ସାମାଜିକ ସହାୟତା ସୁରକ୍ଷା ଦେଇପାରିବ ବୋଲି ୮୭.୮ ପ୍ରତିଶତ ଭାରତୀୟ ଅନୁଭବ କରନ୍ତି। ଅନ୍ୟପକ୍ଷରେ ନକାରାତ୍ମକ ଭାବପ୍ରବଣତା ଜୀବନ ତୁଷ୍ଟୀକରଣକୁ ବଦଳାଇଦିଏ ଏବଂ ଆତ୍ମସନ୍ତୋଷକୁ କମାଇଦିଏ। ୩୨.୯ ପ୍ରତିଶତ ଭାରତୀୟ ନିୟମିତ ଭାବେ ବିବ୍ରତ, ଦୁଃଖ ଓ କ୍ରୋଧର ଭାବାବେଗ ଅନୁଭବ କରିଥାନ୍ତି ବୋଲି ଅଧ୍ୟୟନରେ କୁହାଯାଇଛି। କୋଭିଡ୍‌ ଜନିତ ଅନିଶ୍ଚିତତା, ସ୍ବାସ୍ଥ୍ୟ, ଆର୍ଥତ୍କ ସଶକ୍ତୀକରଣ, ପରିବାର, ବନ୍ଧୁ ଓ କାର୍ଯ୍ୟକ୍ଷେତ୍ରରେ ଚାପ ଆଦି କାରଣରୁ ୬୫ ପ୍ରତିଶତରୁ ଊର୍ଦ୍ଧ୍ୱ ଭାରତୀୟ ଭୟ ଓ ଚିନ୍ତାଗ୍ରସ୍ତ ଅନୁଭବ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି।

Share