Categories: ଜାତୀୟ

ଏୟାରପୋର୍ଟ ତଳେ ଅତ୍ୟାଧୁନିକ ନିର୍ମାଣ

ନୂଆଦିଲ୍ଳୀ, ୩ା୮: ଜିନଜିଆଙ୍ଗ ପ୍ରାନ୍ତ ନିକଟ ତାଶକୁରଗାନ୍‌ଠାରେ ଚାଇନା ନିର୍ମାଣ କରୁଥିବା ବିମାନବନ୍ଦରକୁ ମଧ୍ୟ ଏସିଆରେ ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯୋଜନା କରିଛି। ନିର୍ମାଣାଧୀନ ଏହି ବିମାନବନ୍ଦର ତଳେ ଚାଇନା ସୁରକ୍ଷିତ ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ବ୍ୟବସ୍ଥା ନିର୍ମାଣ କରୁଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଏହି ବିମାନବନ୍ଦର ତାଜ୍‌କିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ସୀମା ନିକଟବର୍ତ୍ତୀ ହୋଇଥିବାରୁ ଏହାକୁ ଭାରତ ବିରୋଧୀ କାର୍ଯ୍ୟକଳାପ ତଥା ଆକ୍ରମଣ ନିମନ୍ତେ ବ୍ୟବହାର ପାଇଁ ଚାଇନାର ଯୋଜନା ରହିଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ୨୦୧୫ରେ ଚାଇନାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପ୍ରଥମେ ପାମିର ମାଳଭୂମି ଉଚ୍ଚତାରେ ପ୍ରାୟ ୧୦,୫୦୦ ଫୁଟ ଉପରେ ଏକ ବିମାନବନ୍ଦର ନିର୍ମାଣ କରିବାକୁ ଯୋଜନା ଥିବା ନେଇ ପ୍ରକାଶ କରିଥିଲା। ୨୦୨୦ ଏପ୍ରିଲରୁ ଏହି ସାଇଟ୍‌ରେ ଚାଇନା ନିର୍ମାଣ କାମ ଆରମ୍ଭ କରିଦେଇଛି। ମେ’ ୨୦୨୦ରେ ଲଦାଖର ପାଙ୍ଗୋଙ୍ଗ ସୋ’ରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ପ୍ରଥମ ସଂଘର୍ଷର ପ୍ରାୟ ସପ୍ତାହେ ପୂର୍ବରୁ ଏହି ଏୟାରପୋର୍ଟ ନିର୍ମାଣ ଆରମ୍ଭ ହୋଇଥିଲା। ସ୍ପେସ୍‌ ଫାର୍ମ ପ୍ଲାନେଟ୍‌ ଲାବ୍‌ସ ପକ୍ଷରୁ ନିଆଯାଇଥିବା ଉପଗ୍ରହ ଚିତ୍ରରୁ ବିମାନବନ୍ଦର ଏକାଧିକ କାର୍ଯ୍ୟରେ ବ୍ୟବହାରଯୋଗ୍ୟ ନିମନ୍ତେ ନିର୍ମାଣ ହେଉଥିବା ସ୍ପଷ୍ଟ ହୋଇଛି। ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ ତଥା ନିଜ ସୈନ୍ୟକୁ ସମସ୍ତ ସୁବିଧା ପ୍ରଦାନ ପାଇଁ ଚାଇନା ଏହି ନିର୍ମାଣରେ ଲାଗିଥିବା ନେଇ ଚର୍ଚ୍ଚା ଲାଗିରହିଛି।

ବେଜିଂର ଗୁପ୍ତ ରଣନୀତି

ତାଜ୍‌କିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ପିଓକେ ସୀମା ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ତାଶକୁରଗାନ୍‌ଠାରେ ଚାଇନାର ବିମାନବନ୍ଦର ନିର୍ମାଣ ପଛରେ ସାମରିକ ଯୋଜନା ରହିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି। ତାଜକିସ୍ତାନ ଓ ପାକିସ୍ତାନରେ ଚାଇନା ବିପୁଳ ମାତ୍ରାରେ ନିବେଶ କରିଛି। ଅଶାନ୍ତ ଆଫଗାନିସ୍ତାନରେ ବଦଳୁଥିବା ସ୍ଥିତିରୁ ଫାଇଦା ଉଠାଇବା ପାଇଁ ଚାଇନା ବିମାନବନ୍ଦର ଆଳରେ ସେଠାରେ ନିଜ ସେନା ନିୟୋଜିତ କରିପାରିବ। ଆରବ ସାଗର ଏବଂ ଚାଇନା ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଖୋଲିବା ପାଇଁ ଏହା ବେଜିଂ ପାଇଁ ଏକ ରଣନୈତିକ ମାର୍ଗ ହେବ, ଯାହା କି ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌(ବିଆର୍‌ଆଇ) ପ୍ରୋଜେକ୍ଟର ଅଂଶ ବୋଲି କଲୋନେଲ(ଅବସରପ୍ରାପ୍ତ) ବିନାୟକ ଭଟ୍ଟ କହିଛନ୍ତି। ଚାଇନା ମିଡିଆ ରିପୋର୍ଟ ଅନୁସାରେ, ଏୟାରପୋର୍ଟ ପ୍ରାରମ୍ଭିକ ଡିଜାଇନରେ ଏକ ଟର୍ମିନାଲ ବିଲ୍ଡିଂ, ୪ଟି ଯୁଦ୍ଧବିମାନ ଷ୍ଟାଣ୍ଡ୍‌, ଏକ ଟାଓ୍ବାର, ୮ ଶହ ବର୍ଗମିଟରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ବିଲ୍ଡିଂ, ଇନ୍ଧନ, ବିଦ୍ୟୁତ୍‌ ଯୋଗାଣ, ଅଗ୍ନି ନିର୍ବାପକ, ଉଦ୍ଧାର କାର୍ଯ୍ୟ ବ୍ୟବସ୍ଥା ଆଦି ରହିଥିଲା।

Share