Categories: ବାଣିଜ୍ୟ

ଡିଏଚ୍‌ଏଚ୍‌ରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର

ଭୁବନେଶ୍ୱର,୬।୩ (ଅଭୟ ଦାଶ): ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏକ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର (ଟିସିସି) ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଝାରସୁଗୁଡ଼ା ଜିଲାରେ ପ୍ରଥମ ଟିସିସିର ଶୁଭାରମ୍ଭ କରାଯାଇଛି। ବିଶେଷକରି ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ଏବଂ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପଶ୍ଚିମ ଓଡ଼ିଶା ପାଇଁ ଏହା ପ୍ରଥମ ଟ୍ରମା କେୟାର ସେଣ୍ଟର ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଜେଏସ୍‌ଡବ୍ଲ୍ୟୁର ଓଡ଼ିଶା ୟୁନିଟ୍‌ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌ ସମ୍ବଲପୁର ଓ୍ବାର୍କସର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ଟିସିସି କାର୍ଯ୍ୟକ୍ଷମ ହୋଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟିକା ଦୀପାଳୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌ର ସଭାପତି ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଅନୀଲ କୁମାର ସିଂଙ୍କ ସମେତ ଜିଲାପାଳ ଅବୋଲି ସୁନୀଲ ନାରବୋନେ (କଲେକ୍ଟର ଓ ଜିଲା ମାଜିଷ୍ଟ୍ରେଟ,ଝାରସୁଗୁଡ଼ା), ଏସ୍‌ପି ପରମାର ସ୍ମିତ ପରଷୋତ୍ତମ ଦାସ ଏବଂ ଡ.ମହେଶ ପଣ୍ଡା (ସିଓଏମ୍‌ ତଥା ପିଏଚ୍‌ଓ,ଝାରସୁଗୁଡ଼ା) ପ୍ରମୁଖ ଯୋଗଦେଇଥିଲେ। ସେହିଭଳି ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ ୧୦ଟି ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର କାର୍ଯ୍ୟ କରିବ। ବିଶେଷକରି ଏଥିରେ ମଡ୍ୟୁଲାର ଅପରେଶନ ଥିଏଟର, ଅଲ୍‌ଟ୍ରାସାଉଣ୍ଡ, ସିଆର୍‌ ସିଷ୍ଟମ, ଏକ୍ସ-ରେ ଭଳି ଆବଶ୍ୟକ ଉପକରଣର ସୁବିଧା ରଖାଯାଇଛି। ଅପରପକ୍ଷରେ ଜିଲାର ସ୍ବାସ୍ଥ୍ୟସେବା ଉପରେ ଅନିଲ କୁମାର ସିଂ ବିସ୍ତୃତ ଗୁରୁତ୍ୱାରୋପ ଓ ନୂଆ ଟ୍ରମା କେୟାର ସେଣ୍ଟର ପଡ଼ୋଶୀ ଅଞ୍ଚଳ ପାଇଁ ମଧ୍ୟ ବେଶ୍‌ ସହାୟକ ହୋଇପାରିବ ବୋଲି କହିଥିଲେ। ଏପରିକି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ଏହି ଟିସିସି ଉଦ୍‌ଘାଟନ ହୋଇଥିବା ସେ ଜଣାଇଛନ୍ତି।

Share