Categories: ଖେଳ

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଆରମ୍ଭ

ଭୁବନେଶ୍ୱର, ୩୦।୯ (ତପନ ସ୍ବାଇଁ): ଖୋର୍ଦ୍ଧାଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଶୁକ୍ରବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ପାଖାପାଖି ୨୫୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ୧୧, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ବାଳିକା ଓ ବାଳକ, ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ଜୁନିୟର ଡବଲ୍ସ, ସିନିୟର ଡବଲ୍ସ ଓ ଭେଟେରାନ ସିଙ୍ଗଲ୍ସ ବିଭାଗରେ ଅନୁଷ୍ଠିତ ହେଉଛି। ଏଥିରେ ଉନ୍ନତି ପ୍ରଦର୍ଶନ କରିଥିବା ଖେଳାଳି ଜାତୀୟ ସ୍ତରରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ। ୫୪ଟି ଟ୍ରଫି ସହିତ ୨୫,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯିବ। ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଆୟୋଜକ ଜିଲା ଆସୋସିଏଶନ ସମ୍ପାଦକ ସ୍ମୃତି ରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ଶଶାଙ୍କ ଶେଖର ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ତ୍ରୈଲୋକ୍ୟ ନାଥ ରାଉତ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମୁଖ୍ୟ ରେଫରି ବିଜନ ଦାସ ମହାପାତ୍ର, ତପନ ଖା, ସୁଜିତ କୁମାର ରୟ, କେ.ଏସ.ଏନ୍‌. ମୂର୍ତ୍ତୀ (ସମସ୍ତେ ଅନ୍ତର୍ଜାତୀୟ ରେଫରି) ମ୍ୟାଚ ଗୁଡ଼ିକ ପରିଚାଳନା କରୁଛନ୍ତି। କେଭିପି ରାମାରାଓ, କେ.ଚିନାରାଓ, ସୁରଭି ପରିଜା ତାଙ୍କୁ ସହାୟତା କରୁଛନ୍ତି। ପ୍ରଥମ ଦିବସରେ ୧୧ ବର୍ଷରୁ କମ୍‌ ବାଳିକା ଓ ବାଳକ ସିଙ୍ଗଲ୍ସ ଏବଂ ମହିଳା ଓ ପୁରୁଷ ସିଙ୍ଗଲ୍ସ ପ୍ରତିଯୋଗିତା ଆରମ୍ଭ ହୋଇଛି।

Share