Advertisement

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ଗଞ୍ଜାମ ଗସ୍ତ : ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି ସେହି ସମ୍ପର୍କରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ନିର୍ଦେଶକ ସୁରେନ୍ଦ୍ର କୁମାର ମିନା ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସି ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଦେଖିଛନ୍ତି । ଛତ୍ରପୁର ବ୍ଲକ ଅଧିନସ୍ଥ ଚମାଖଣ୍ଡି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ଗ୍ରାମ୍ୟ ଶିଳ୍ପ ପାର୍କରେ ଚିଲି ଓ ଟମାଟ ସସ ସହ ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ବୁଲି ଦେଖିଛନ୍ତି। ଏହାସହିତ ଗଞ୍ଜାମ ଜିଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବିଡ଼ିଓ, ପଞ୍ଚାୟତରାଜ ଅନ୍ୟାନ୍ୟ ଅଧିକାରୀମାନଙ୍କ ନେଇ ସମୀକ୍ଷା କରିଛନ୍ତି।

ଏଥିସହ ମନରେଗା, ଗ୍ରାମୀଣ ଗୃହ ଯୋଜନା, ପାନୀୟ ଜଳ, ସ୍ବଚ୍ଛ ଭାରତ ମିଶନ ସହିତ ବିଭିନ୍ନ ଯୋଜନାର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ଏହା ସହିତ ଯୋଜନା ଗୁଡିକର କାର୍ଯ୍ୟକାରିତା କିଭଳି ଚାଲିଛି ଏବଂ ଜନ ସାଧାରଣ ଉକ୍ତ ଯୋଜନା ଦ୍ବାରା କିଭଳି ଉପକୃତ ହେଉଛନ୍ତି ତାହା ସଂପୃକ୍ତ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି। ତାଙ୍କର ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ର୍ନିବାହୀ ଅଧିକାରୀ ମଧୁମିତା, ସମସ୍ତ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel