Categories: Uncategorized

ଆରିନ୍‌ ଅନ୍ବେଷ ଚାମ୍ପିୟନ

ଭୁବନେଶ୍ୱର, ୨୬ା୯ (ବିଜୟ ରଣା): ସ୍ଥାନୀୟ ପଟିଆସ୍ଥିତ ସ୍ବୟମଶ୍ରୀ ଆକ୍ଟିଭିଟି ହବ୍‌ ଆନୁକୂଲ୍ୟରେ ସୁଭଦ୍ରା ବିଲ୍‌ଡିଂଠାରେ ରବିବାର ଦିନିକିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୟୋଲା ସ୍କୁଲର ଆରିନ ଅନ୍ବେଷ ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ସେ ୭ରାଉଣ୍ଡ ଖେଳରୁ ୬.୫ ପଏଣ୍ଟ ଅର୍ଜନ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ ଟ୍ରଫି ସହ ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲା ଚେସ୍‌ ସଂଘ ଏବଂ ଏସ୍‌.ଆର୍‌. ଚେସ୍‌ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ କଟକର ଆୟୂଷ ଆର୍ୟନ ମହାପାତ୍ର ଦ୍ୱିତୀୟ, ମନୀଷ ମିଶ୍ର ତୃତୀୟ, ଲଳିତ ରଞ୍ଜନ ସାହୁ ୪ର୍ଥ, ଶୁଭମ ପ୍ରତୀକ ମିଶ୍ର ୫ମ, ଆୟୂଷ ପରିଡ଼ା ୬ଷ୍ଠ, ରାଜଶ୍ରୀ ପୁହାଣ ୭ମ, ଜିତେଶ ସାମଲ ୮ମ, ତ୍ରିଦେବ ତୀର୍ଥଙ୍କର ୯ମ ଏବଂ ସୂର୍ଯ୍ୟାଂଶୁ ମହାକୁଡ଼ ୧୦ମ ସ୍ଥାନ ଅଧିକାର କରିଥିଲେ। ଏମାନଙ୍କୁ ଆର୍ଥତ୍କ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସ୍ବୟମଶ୍ରୀ ଆକ୍ଟିଭିଟି ହବ୍‌ର ଅଧ୍ୟକ୍ଷ ମୁକ୍ତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର ବୟୋଜ୍ୟେଷ୍ଠ ଚେସ୍‌ ପରାମର୍ଶଦାତା ଅସିତ ମୁଖାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହ ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ରାଜ୍ୟ ଚେସ୍‌ ସଂଘର କାର୍ଯ୍ୟକାରୀ ସଦସ୍ୟ ତଥା ରେଟେଡ ଖେଳାଳି ସୂର୍ଯ୍ୟକାନ୍ତ ବିଶୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସର୍ବଭାରତୀୟ ଚେସ୍‌ ମହାସଂଘର ଯୁଗ୍ମ ସମ୍ପାଦକ ତଥା ଆୟକର ଅଧିକାରୀ ରଞ୍ଜନ ମହାନ୍ତି ମୁଖ୍ୟଅତିଥି ଏବଂ ଏସ୍‌.ଆର. ଚେସ୍‌ ସେଣ୍ଟର ଅଧ୍ୟକ୍ଷ ଶୁଭାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ପ୍ରତିଯୋଗିତାର ମୁଖ୍ୟ ସଂଯୋଜକ ତଥା ଫିଡେ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।