Categories: ଖେଳ

ରାଜ୍ୟସ୍ତରୀୟ ବିଦ୍ୟାଳୟ ହକି, ହ୍ୟାଣ୍ଡବଲ ଉଦ୍‌ଯାପିତ

ସୁନ୍ଦରଗଡ,୧୧ା୯ (ଜୟ ନାରାୟଣ ମେଣ୍ଡୁଳି): ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ଆସୋସିଏଶନ ଓ ଜିଲା ବିଦ୍ୟାଳୟ କ୍ରୀଡା ଆସୋସିଏଶନର ଆନୁକୂଲ୍ୟରେ ସ୍ଥାନୀୟ ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ୍ସ ପଡିଆଠାରେ ଚାଲିଥିବା ୩ଦିନିଆ ରାଜ୍ୟ ସ୍ତରୀୟ ହକି ଓ ହ୍ୟାଣ୍ଡ ବଲ ଚାମ୍ପିୟନଶିପ ୨୦୨୩-୨୪ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟର୨୫ ଜିଲାରୁ ୧୭ ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ ୧୧୩୦ଜଣ ବାଳିକା ଓ ବାଳକ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ ଏବଂ ୧୪ବର୍ଷ ରୁ କମ୍‌ ବର୍ଗର ଉଭୟ ବାଳିକା ବାଳକ ବିଭାଗ ହକିରେ ସୁନ୍ଦରଗଡ ଜିଲା ଚାମ୍ପିୟନ ହୋଇଛି।

୧୭ ବର୍ଷରୁ କମ ବାଳିକା ବାଳକ ହକି ସମେତ ୧୪ବର୍ଷରୁ କମ ବର୍ଗର ହକିରେ ସମ୍ବଲପୁର ରନର୍ସ ଅପ ହୋଇଥିଲା ବେଳେ ୧୪ ବର୍ଷରୁ କମ ବାଳିକା ହକିରେ ଝାରସୁଗୁଡା ରନର୍ସ ଅପ ହୋଇଥିଲା। ସେହିପରି ହ୍ୟାଣ୍ଡ ବଲରେ ୧୭ବର୍ଷରୁ କମ ବର୍ଗର ବାଳକ ବିଭାଗରେ ଯାଜପୁର ୧୦-୮ଗୋଲରେ କେନ୍ଦୁଝରକୁ ହରାଇ ଚାମ୍ପିୟନ ହୋଇଥିଲା। ୧୭ବର୍ଷରୁ କମ୍‌ ବାଳିକା ବିଭାଗ ହ୍ୟାଣ୍ଡବଲରେ ଭୁବନେଶ୍ୱର ଦଳ ଯାଜପୁରକୁ ୧୦-୯ ଗୋଲରେ ହରାଇ ଚାମ୍ପିୟନ ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲାପାଳ ଅଭିମନ୍ୟୁ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ରାଜ୍ୟ କ୍ରୀଡା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ, ସଦର ଉପଜିଲାପାଳ ଦାଶରଥି ସରାବୁ, ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ବରଗଡ ଜିଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ସୁନ୍ଦରଗଡ ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସାରଙ୍ଗ ଧର ବରିହା ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।

ଏଥିସହିତ ବିଭିନ୍ନ ଜିଲାର କ୍ରୀଡା ଶିକ୍ଷା ଅଧିକାରୀଙ୍କ ସମେତ ସୁନ୍ଦରଗଡ ଜିଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇଥିଲେ। ଭବାନଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଭୋଇ ମ୍ୟୁନିସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶ୍ବନୀ କୁମାର ପଟେଲ, ଶିକ୍ଷକ ବିଭୀଷଣ ବାରିକ, ସ୍ବାଗତିକା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

 

Share