ଭୁବନେଶ୍ୱର, ୩୧।୭ (ତପନ ସ୍ବାଇଁ): ଅଗଷ୍ଟ ୧୨ ଓ ୧୩ ତାରିଖରେ କେନ୍ଦୁଝରଠାରେ ରାଜ୍ୟ ସିନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ରବିବାର ପୁରୀରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ସଂଘର ବାର୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି।
ଉକ୍ତ ବୈଠକରେ ବଲାଙ୍ଗୀର, ଭଦ୍ରକ, ଭୁବନେଶ୍ୱର, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ପୁରୀ, ନବରଙ୍ଗପୁର, ଖୋର୍ଦ୍ଧା, ଜଗତ୍ସିଂହପୁର, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ, ରାୟଗଡ଼ା, କେନ୍ଦ୍ରାପଡ଼ା ଆଦି ସ୍ଥାନରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ସଂଘର ସଭାପତି ବିପ୍ଳବ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶାରେ ହ୍ୟାଣ୍ଡବଲ ଖେଳର ପ୍ରଚାର ସହ କିପରି ସମସ୍ତ ଜିଲାରେ ଏହା ଖେଳାଯାଇ ପାରିବ ତା’ ଉପରେ ସଂଘ ସମ୍ପାଦକ ମାନସ ସିଂ ଓ କୋଷାଧ୍ୟକ୍ଷ ଶୀତେନ୍ଦ୍ର ନାଥ ଦାସ ଆଲୋକପାତ କରିଥିଲେ।