Categories: ଖେଳ

ବଲାଙ୍ଗୀରରେ ରାଜ୍ୟ ସିନିୟର ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ

ବଲାଙ୍ଗୀର, ୧୩ା୭ (ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ଜୁଲାଇ ୧୪ରୁ ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମରେ ଓଡ଼ିଶା ସିନିୟର ର଼୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଅନୁମୋଦିତ ଏହି ପ୍ରତିଯୋଗିତାକୁ ବଲାଙ୍ଗୀର ଜିଲା ବ୍ୟାଡମିଣ୍ଟନ ସଂଘ ଆୟୋଜନ କରିବ ।
ବୁଧବାର ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲା ବ୍ୟାଡମିଣ୍ଟନ ସଂଘ ତଥା ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମଟାରୀ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ପ୍ରତିଯୋଗିତା ଏହି କ୍ୟାଲେଣ୍ଡର ବର୍ଷରେ ରାଜ୍ୟର ଦ୍ୱିତୀୟ ସିନିୟର ର଼୍ୟାଙ୍କିଙ୍ଗ୍‌ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପୁରୁଷ ଓ ମହିଳା ବର୍ଗରେ ୧୩୦ରୁ ଉର୍ଦ୍ଧ୍ୱ ଖେଳାଳି ନାମ ପଞ୍ଜୀକୃତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ, ଡବଲ୍ସ, ମହିଳା ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ୍‌ ଡବଲ୍ସ ବିଭାଗରେ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବଛାବଛା ତଥା ସମସ୍ତ ଉଚ୍ଚ ର଼୍ୟାଙ୍କ ଥିବା ଖେଳାଳି ଭାଗ ନେବେ । ୧୯ ଜଣ ଅମ୍ପାୟର ମ୍ୟାଚ ପରିଚାଳନା ଦାୟିତ୍ୱରେ ଥିବାବେଳେ ଜାତୀୟ ଅଭିଜ୍ଞତାସମ୍ପନ୍ନ ଅମ୍ପାୟର ବିଜୟ ବାଗ ମ୍ୟାଚ ରେଫରି ଓ ମନୋରଞ୍ଜନ ଦାଶ ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ। ଆସୋସିଏଶନର ଜିଲା ଉପସଭାପତି ଘନଶ୍ୟାମ ମିଶ୍ର, ଜିଲା ଉନ୍ନୟନ କମିଟି ମୁଖ୍ୟ ଦେବାଶିଷ ମିଶ୍ର, ଉପଦେଷ୍ଟା ବୀରେନ ମିଶ୍ର, ବରିଷ୍ଠ ସଭ୍ୟ ସୁଶାନ୍ତ ଚୋପଦାର, ମ୍ୟାଚ କୋଅର୍ଡିନେଟର ଅନନ୍ତ ବେହେରା, ମାନସ ମହାନ୍ତି ଓ ସୁରେନ୍ଦ୍ର ନେପାଲ ମଞ୍ଚାସୀନ ଥିଲେ ।

Share