Categories: ଖେଳ

ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଯାପିତ

ସମ୍ବଲପୁର,୧୪ା୧୧(ବ୍ୟୁରୋ): ଖଟେଶ୍ୱର ପାଣ୍ଡେ ସ୍ମାରକୀ ଦଶମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରସ୍ଥିତ ଡା. ଝସକେତନ ସାହୁ ସନ୍ତରଣାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସମେତ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକ, ଭୁବନେଶ୍ୱର ଓ ବୌଦ୍ଧ ଜିଲାରୁ ୧୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ୯ରୁ ୮୫ ବର୍ଷ ବୟସ ବର୍ଗରେ ୧୮ଟି ବିଭାଗରେ ୫୦ ମିଟର ବଟରଫ୍ଲାଏ, ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ୫୦ ମିଟର ଫ୍ରିଷ୍ଟାଇଲ ଓ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ପ୍ରତିଯୋଗିତା ହୋଇଥିଲା। ଆୟୋଜକ ସମ୍ବଲପୁର ମାଷ୍ଟର୍ସ ସୁଇମର୍ସ କ୍ଲବ ସଭାପତି ପ୍ରେମ୍‌ରଞ୍ଜନ ପ୍ରଧାନଙ୍କ ପରିଚାଳନା ଓ ଡ. ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା।

ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ମହମ୍ମଦ ସାଜିଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ରେଫରି ଆଶୁତୋଷ ନାଏକଙ୍କ ତତ୍ତ୍ୱାବଧାନରେ ଇଭେଣ୍ଟଗୁଡ଼ିକ ହୋଇଥିଲା। ଚିନ୍ତନ ନାଏକ, ଈଶ୍ୱର ପ୍ରସାଦ ବାରିକ, ରାଜେଶ କଲାରି, ଅନନ୍ତ ବେରିହା, ସୁବ୍ରତ ଭୋଇ, ସୁଜିତ କୁମାର ସାହୁ, ଭୋଳାନାଥ ବିଶୋଇ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ। ବଦ୍ରିନାରାୟଣ ପୁରୋହିତ ମୁଖ୍ୟ ନିରୀକ୍ଷକ ଥିଲେ। ୫୦ ବର୍ଷରୁ ଊର୍ଦ୍ଧ୍ୱ ବିଭିନ୍ନ ବିଭାଗରେ ମଧୁସୂଦନ ଜେନା, ପରମେଶ୍ୱର ବାଘ, ଜୟନ୍ତ ପାଣ୍ଡେ, ସୁରେନ୍ଦ୍ର ନାଏକ, ସୁନ୍ଦରମଣି ବାରିକ, ରାଧେଶ୍ୟାମ ପାଣିଗ୍ରାହୀ ଓ ଆର୍ତ୍ତତ୍ରାଣ ମାଝୀ ସ୍ବର୍ଣ୍ଣପଦକ ହାସଲ କରି ଯୁବବର୍ଗମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ। ସକାଳ ୭ଟାରେ ସମ୍ବଲପୁର ଉପଜିଲାପାଳ ପ୍ରଭାସ ଡନ୍‌ସନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ସୂଚନାଯୋଗ୍ୟ, ଦୀର୍ଘ ତିନିମାସ ହେବ ଡା. ଝସକେତନ ସାହୁ ସନ୍ତରଣାଗାର ବନ୍ଦ ରହିଛି। ବିଭିନ୍ନ ବୈଷୟିକ ତ୍ରୁଟି ରହିଥିବାରୁ ସେଠାରେ କୌଣସି ପ୍ରତିଯୋଗିତା ହୋଇପାରୁନାହିଁ। ଯଦ୍ଦ୍ବାରା ରବିବାର ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା କିଡ୍ସ ପୁଲ୍‌ରେ ହୋଇଥିଲା।

 

Share