Categories: ଖେଳ

ରାଜ୍ୟସ୍ତରୀୟ ଉଲୁଣ୍ଡା କପ୍‌ ଫୁଟବଲ: କୁଚିଣ୍ଡା ଚାମ୍ପିୟନ

ଉଲୁଣ୍ଡା,୨୬ା୧୧: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୬ତମ ରାଜ୍ୟସ୍ତରୀୟ ଉଲୁଣ୍ଡା କପ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରବିବାର ଅନୁୁଷ୍ଠିତ ଫାଇନାଲରେ ମହାବୀର ସ୍ପୋର୍ଟିଂ କୁଚିଣ୍ଡା ଦଳ ୫-୪ ଟାଇବ୍ରେକର ଜରିଆରେ ଜେ.ଡି. କ୍ଳବ ଫୁଲବାଣୀକୁ ପରାସ୍ତ କରି ଚାମ୍ପିୟନ ହୋଇଛି।

ପୂର୍ବରୁ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ କୁଚିଣ୍ଡା ଦଳ ସୋନପୁର ରାମଧୁନ କ୍ଳବକୁ ୨-୦ ଏବଂ ଦ୍ୱିତୀୟ ସେମିଫାଇନାଲରେ ଫୁଲବାଣୀ ଦଳ ୧-୦ ଗୋଲରେ ଝାରସୁଗୁଡ଼ା ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚକୁ ଦିଲୀପ କୁମାର ରାଉତ, ସଲିଳ ବେହେରା, ସୁଜି ରାଜହଂସ, ପ୍ରଶାନ୍ତ ବେହେରା, ଜିତେନ୍ଦ୍ର ଥନାପତି ଓ ପ୍ରଶାନ୍ତ ସେଠୀ ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜକ ସଭାପତି ମଞ୍ଜିତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ପୁରସ୍କାର ବିତରଣ ଉତ୍ସବକୁ ଅତିଥି ଭାବେ ବିଧାୟକ ପଦ୍ମନାଭ ବେହେରା, କୃତ୍ତିବାସ ମିଶ୍ର, ଅଶୋକ ପଣ୍ଡା, ବିଜୟ ଲକ୍ଷ୍ମୀ ତରାଇ, ଗଙ୍ଗାଧର ମହାକୁରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଯୋଗଦେଇ ବିଜେତା କୁଚିଣ୍ଡା ଦଳକୁ ଟ୍ରଫି ସହ ୫୦ ହଜାର ଏବଂ ଉପବିଜେତା ଜେ.ଡି କ୍ଳବ ଫୁଲବାଣୀକୁ ଟ୍ରଫି ସହ ୩୦ହଜାର ଟଙ୍କା ପ୍ରଦାନ କରିଥିଲେ। ମ୍ୟାନ ଅଫ୍‌ ଦ ମ୍ୟାଚ ଭାବରେ ବିନାଳୟ କିଷାନ ଏବଂ ମ୍ୟାନ ଅଫ୍‌ ଦ ସିରିଜ ଭାବରେ କବୀର ମହାବୀରଙ୍କୁ ପୁରସ୍କୃତ କରାଯାଇଥିଲା। ଏହାଛଡ଼ା ପରାଜିତ ସେମିଫାଇନାଲିଷ୍ଟ ରାମଧୁନ କ୍ଲବ ସୋନପୁର ଏବଂ ଜୟ ଜବାନ କ୍ଲବ ଝାରସୁଗୁଡ଼ା ଦଳକୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା।

Share