Categories: ଜାତୀୟ

ସମଲିଙ୍ଗୀ ବିବାହରେ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଙ୍କୁ କରାଯାଉ ପକ୍ଷକାର: ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି…

ନୂଆଦିଲ୍ଲୀ,୧୯।୪ : ଦେଶରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚଲ୍‌ର ଶୁଣାଣି କରାଯାଉଛି। ଏହି ସମୟରେ କେନ୍ଦ୍ର କହିଛି , ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟମାନଙ୍କ ସହିତ ପରାମର୍ଶ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ କେନ୍ଦ୍ରକୁ ସମୟ ଦେବା ଉଚିତ। ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷକାର କରିବାକୁ କେନ୍ଦ୍ର ଦାବି କରିଛି।

କେନ୍ଦ୍ର କହିଛି, ବିବାହ ଭାରତୀୟ ସମ୍ବିଧାନର ସପ୍ତମ ସୂଚୀରେ ସମନ୍ବିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ତେଣୁ ସମଲିଙ୍ଗୀ ବିବାହର ଆଇନଗତ ସ୍ବୀକୃତି ସମ୍ବନ୍ଧରେ ଦାଖଲ ହୋଇଥିବା ଆବେଦନ ଉପରେ କୌଣସି ନିଷ୍ପତ୍ତି ଆସିବା ପୂର୍ବରୁ ସମସ୍ତ ରାଜ୍ୟ ସହ ପରାମର୍ଶ ଆବଶ୍ୟକ। ସେହି ବିଷୟଗୁଡିକ ଉଭୟ କେନ୍ଦ୍ର ଏବଂ ରାଜ୍ୟ ଅଧୀନରେ ଆସୁଥିବା ଏକକାଳୀନ ତାଲିକାରେ ରଖାଯାଇଛି ।

କେନ୍ଦ୍ର କହିଛି , ସମସ୍ତ ରାଜ୍ୟ ସହ ପରାମର୍ଶ ଆରମ୍ଭ କରାଯାଇଛି। ଯେହେତୁ ଏହି ପ୍ରସଙ୍ଗର ବହୁ ପ୍ରଭାବ ରହିଛି, ତେଣୁ ଅନୁରୋଧ କରାଯାଇଛି ରାଜ୍ୟଗୁଡିକ ବର୍ତ୍ତମାନର ପ୍ରକ୍ରିୟାରେ ପକ୍ଷଭୁକ୍ତ ହୋଇପାରିବେ ଏବଂ ସେମାନଙ୍କର ନିଜସ୍ବ ରେକର୍ଡ ବିଚାରକୁ ନିଆଯିବ। କେନ୍ଦ୍ର ଏହା ମଧ୍ୟ କହିଛି,ରାଜ୍ୟମାନଙ୍କୁ ଏହି ପ୍ରସଙ୍ଗରେ ପକ୍ଷ ନ ଦେଇ ସେମାନଙ୍କ ମତାମତ ନନେଇ କୌଣସି ନିଷ୍ପତ୍ତି ସାମ୍ପ୍ରତିକ ପ୍ରସଙ୍ଗରେ ଅସମ୍ପୂର୍ଣ୍ଣ ହେବ।

ଏହା ସହିତ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହର ଆଇନଗତ ସ୍ବୀକୃତି ଦାବିରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳ ସହିତ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କ ଠାରୁ ମତାମତ ଲୋଡିଛି ଏବଂ ୧୦ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ କହିଛି।

Share