Categories: ଖେଳ

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୬୭ କେଜି ୟୁଥ୍‌ ବର୍ଗରେ ସ୍ବୟମଜିତ ମୋଟ ୨୪୭ କେଜି ଉତ୍ତୋଳନ କରି ଏହି ସଫଳତା ପାଇଛନ୍ତି। ସେ ସ୍ନାଚ୍‌ରେ ୧୦୯ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୩୮ କେଜି ଭାରୋତ୍ତୋଳନ କରିଥିଲେ। ମଙ୍ଗଳବାର ପ୍ରତିଯୋଗିତାର ପ୍ରଥମ ଦିବସରେ ମୀନା ସାନ୍ତା ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ଏବଂ ଜ୍ୟୋତ୍ସ୍ନା ଶବର ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଫଳରେ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଦ୍ୱିତୀୟ ଦିବସ ଶେଷସୁଦ୍ଧା ଓଡ଼ିଶା ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବୟମଜିତ ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନ ଏଚ୍‌ପିସିରେ ଟ୍ରେନିଂ ନେଉଛନ୍ତି। ୫୫ କେଜି ୟୁଥ୍‌ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମୀନା ମୋଟ ୧୮୦ (ସ୍ନାଚ୍‌-୮୧, କ୍ଲିନ୍‌ ଆଣ୍ଡ ଜର୍କ-୯୯) କେଜି ଭାରୋତ୍ତୋଳନ କରିଥିଲେ। ବାଳିକା ୟୁଥ୍‌ ବର୍ଗରେ ଏହା ଏକ ଜାତୀୟ ରେକର୍ଡ ବୋଲି ବୁଧବାର ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲ୍ୟୁଏଲଏଫ୍‌) ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share