ଆଜିଠୁ ଭାଜପା କୃଷକମୋର୍ଚ୍ଚାର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର, ୨୯।୧(ଅସମାପିକା ସାହୁ): ଓଡ଼ିଶାରେ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଏବଂ ଧାନମଣ୍ଡିର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥର ବାଟମାରଣା ପ୍ରତିବାଦରେ ଭାଜପା କୃଷକମୋର୍ଚ୍ଚା ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୮ଟି ସବ୍‌ଡିଭିଜନ ମୁଖ୍ୟାଳୟରେ ଆନ୍ଦୋଳନ କରିବ। ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବିକରି ଉପଜିଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଭାଜପା କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଚଳିତ ଖରିଫ ଧାନକିଣା କାରବାରରେ ମିଲର, ପ୍ରଶାସନିକ ଅଧିକାରୀ ଓ ସରକାରୀ ଦଳର ସ୍ଥାନୀୟଠାରୁ ଆରମ୍ଭ କରି ଶୀର୍ଷ ନେତୃବୃନ୍ଦଙ୍କ ମଧୁଚନ୍ଦ୍ରିକାରେ ବ୍ୟାପକ ଦୁର୍ନୀତି କରାଯାଇଛି। ପ୍ରତ୍ୟେକ ଧାନମଣ୍ଡିରେ କୁଇଣ୍ଟାଲ ପ୍ରତି ଧାନ ୫ରୁ ୧୦କିଲୋ କଟନି ଛଟନି କରାଯାଉଛି। ଚାଷୀମାନେ ଯେତେ ପ୍ରତିବାଦ କଲେ ମଧ୍ୟ ରାଜ୍ୟ ସରକାରଙ୍କୁ କିଛି ଫରକ ପଡୁ ନାହିଁ। ସାରା ରାଜ୍ୟରେ ଚାଷୀକୁ ବସ୍ତା ଦିଆଯାଉନାହିଁ। ଧାନମଣ୍ଡିଗୁଡିକରେ ଚାଷୀମାନଙ୍କଠାରୁ ଧାନ ଅନ୍‌ଲୋଡିଂ ଏବଂ ଓଜନ ବାବଦରେ କୁଇଣ୍ଟାଲ ପ୍ରତି ୫ ରୁ ୧୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଏହିସବୁ ବ୍ୟାପକ ଦୁର୍ନୀତି ଓ ହେରଫେରର ତୁରନ୍ତ ସିବିଆଇ ତଦନ୍ତ କରାଯିବା ପାଇଁ ସାହୁ ଦାବି କରିଛନ୍ତି।

Share