Categories: Uncategorized

ଯୌନହିଂସା ରୋକିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୨ା୮: ମଣିପୁର ହିଂସା ବେଳେ ମହିଳାମାନଙ୍କ ପ୍ରତି ଯେଭଳି ଅତ୍ୟାଚାର କରାଯାଇଛି, ତାହାକୁ ନେଇ ସୁପ୍ରିମକୋର୍ଟ ବ୍ୟଥିତ ହୋଇଛନ୍ତି। ଅନ୍ୟ ସମ୍ପ୍ରଦାୟକୁ ପଦାନତ କରିବାର ବାର୍ତ୍ତା ଦେବା ପାଇଁ ଉତ୍ତ୍ୟକ୍ତ ଲୋକେ ଯୌନ ହିଂସାକୁ ବ୍ୟବହାର କରିଥିଲେ। ଏହାକୁ ବନ୍ଦ କରିବାକୁ ରାଜ୍ୟ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ମଣିପୁରରେ ମେ’ ୪ରେ ମହିଳାଙ୍କ ପ୍ରତି ହିଂସା କି ପ୍ରକାର ଥିଲା, ତାହା ଉପରେ ତଦନ୍ତ କରିବାକୁ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟିକୁ ସୁପ୍ରିମକୋର୍ଟ କହିଛନ୍ତି। ମହିଳାମାନଙ୍କ ପ୍ରତି ଯୌନ ଅପରାଧ ଓ ହିଂସା ଆଦୌ ଗ୍ରହଣୀୟ ନୁହେଁ। ମର୍ଯ୍ୟାଦା, ବ୍ୟକ୍ତି ସ୍ବାଧୀନତାର ସାମ୍ବିଧାନିକ ମୂଲ୍ୟବୋଧର ଏହା ଗମ୍ଭୀର ଉଲ୍ଲଂଘନ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଜାତିଆଣ ହିଂସାବେଳେ ଉତ୍ତ୍ୟକ୍ତ ଲୋକେ ଯୌନ ହିଂସାକୁ ବ୍ୟବହାର କରି ଗୋଟିଏ ସମ୍ପ୍ରଦାୟକୁ ପଦାନତ କରି ରଖିଥିବାର ବାର୍ତ୍ତା ଦେବାକୁ ଚାହିଁଥିଲେ। ଏହା ଅତ୍ୟାଚାର। ଏଭଳି ଅତ୍ୟାଚାରକୁ ରୋକିବା ରାଜ୍ୟ ସରକାରଙ୍କ ବାଧ୍ୟତାମୂଳକ କର୍ତ୍ତବ୍ୟ ବୋଲି ଖଣ୍ଡପୀଠ କହିଛନ୍ତି।