ଓଡ଼ିଶାରେ ମାଗଣା ଚାଉଳ ଅବଧି ବୃଦ୍ଧି ହେବ କି ନାହିଁ, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୦।୧୦: କେନ୍ଦ୍ର ପରେ ରାଜ୍ୟ ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ମାଗଣା ଚାଉଳ ଅବଧି ବୃଦ୍ଧି ହେବ। ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ। କେନ୍ଦ୍ର ୨୦୨୮ ଯାଏ ଚାଉଳ ଅବଧି ବୃଦ୍ଧି କରିଥିବାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାର ନିଜସ୍ବ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରିବେ ।

ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ ବୁଧବାର କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହି ଯୋଜନାର ଲାଭ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପାଇପାରିବେ। ଏ ନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ତେବେ ଏହା ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ଯାଏ ଚାଲିବ। ଏହି ଯୋଜନରେ ସରକାର ୧୭ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।

ଖାଦ୍ୟ ଆଇନ ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅନୁଯାୟୀ ୧୭,୦୮୨ କୋଟି ଟଙ୍କା ବଜେଟ ସହିତ ୨୦୨୮ ପର୍ଯ୍ୟନ୍ତ ପୁଷ୍ଟିକର ଚାଉଳର ମାଗଣା ଯୋଗାଣ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି।
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା