Categories: ଜାତୀୟ

ଆବେଦନର ୩୦ ଦିନ ମଧ୍ୟରେ କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ,୨୨।୯: କୋଭିଡ୍‌ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ। ଏ ନେଇ ସୁପ୍ରିମକୋର୍ଟକୁ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ତେବେ କୋଭିଡ୍‌ କାରଣରୁ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ କେବଳ ଏହି କ୍ଷତିପୂରଣ ମିଳିବ ତା’ ନୁହେଁ। ଭବିଷ୍ୟତରେ ମଧ୍ୟ କୋଭିଡ୍‌ କାରଣରୁ ମୃତ୍ୟୁ ହେଲେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ।

ରାଜ୍ୟ ସରକାରମାନେ ସେମାନଙ୍କ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥି ଲାଗି ପୈଠ କରିବେ। ଆବଶ୍ୟକ କାଗଜପତ୍ର ଦାଖଲ କରିବାର ୩୦ ଦିନ ମଧ୍ୟରେ ଏହାକୁ ବିଚାର କରାଯାଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଆଧାରକାର୍ଡ ସହ ଲିଙ୍କ୍‌ରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ଗତ ବର୍ଷ ମାର୍ଚ୍ଚଠାରୁ ଭାରତରେ କୋଭିଡ୍‌ କାରଣରୁ ୪.୪୫ ଲକ୍ଷ ମୃତ୍ୟୁ ହୋଇଛି। କିଛି ରାଜ୍ୟ କୋଭିଡ୍‌ ମୃତକଙ୍କ ପରିବାର ଲାଗି କ୍ଷତିପୂରଣ ଘୋଷଣା କରିସାରିଛନ୍ତି। ଏହି ତାଲିକାରେ ବିହାର (ପ୍ରତି ପରିବାର ପିଛା ୪ ଲକ୍ଷ), ମଧ୍ୟପ୍ରଦେଶ (୧ ଲକ୍ଷ) ଓ ଦିଲ୍ଲୀ (୫୦ ହଜାର) ରହିଛନ୍ତି।

Share