ରାଜ୍ୟବ୍ୟାପୀ ଆନ୍ଦୋଳନ ନିଷ୍ପତ୍ତି

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ଅଖିଳ ଭାରତୀୟ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ (ଏଆଇଇସିଏ) ଓଡ଼ିଶା ଶାଖା ପକ୍ଷରୁ ବିଦ୍ୟୁତ୍‌ ସମସ୍ୟାକୁ ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ବରଗଡ଼ସ୍ଥିତ ସମତା ଭବନରେ ଅନୁଷ୍ଠିତ ବୈଠକରେ ସଂଘର ଓଡ଼ିଶା ଆବାହକ ଜୟସେନ ମେହେର ଯୋଗଦେଇ ବିଦ୍ୟୁତ କ୍ଷେତ୍ରରେ ଘରୋଇ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଦ୍ୟୁତ ବିଲ୍‌ ୨୦୨୩, ବିଦ୍ୟୁତ ସଂଶୋଧନ ବିଲ୍‌ ୨୦୨୨, ପ୍ରି ପେଡ୍‌ ସ୍ମାର୍ଟ ମିଟର, ଟିଓଡ଼ି (ଟାଇମ ଅଫ୍‌ ଡେ) ତଥା ସୋଲାର ଆୱାର ଆଦି ନୀତି ଯଦି ବାତିଲ୍‌ କରା ନ ଯାଏ, ତେବେ ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଜନତା ବିଦ୍ୟୁତ ବ୍ୟବହାର କରିବାରୁ ବଞ୍ଚତ୍ତ ହେବେ ବୋଲି ସେ କହିଥିଲେ।

ବୈଠକରେ ଜନ ଆନ୍ଦୋଳନ ତଥା ଜୟ କିଷାନ ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଲିଙ୍ଗରାଜ ଯୋଗଦେଇ କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ କୌଣସି ଫରକ ନାହିଁ। ଯାହାସବୁ ନୀତି, ନିଷ୍ପତ୍ତି କେନ୍ଦ୍ର ସରକାର ଆଗତ କରୁଛି, ସେସବୁ ରାଜ୍ୟ ସରକାର ବିନା ଦ୍ୱିଧାରେ ରାଜ୍ୟରେ ପ୍ରଣୟନ କରୁଛି। ଏଣୁ ବିଦ୍ୟୁତ୍‌ ସମସ୍ୟାକୁ ନେଇ ଏକ ରାଜ୍ୟସ୍ତରୀୟ ଆନ୍ଦୋଳନର ଆବଶ୍ୟକତା ରହିଛି। ଏହି କ୍ରମରେ ଆସନ୍ତା ସେପ୍ଟେମ୍ବର ୩ତାରିଖରେ ଅନୁଗୋଳରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ଅକ୍ଟୋବର ମାସରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀରର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବରଗଡ଼ର ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଅରୁଣ କୁମାର ସାହୁ, ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ବିଶ୍ୱନାଥ ରଣା, କିଶୋର ସାହୁ, ରମେଶ ପତି, ସୀତାରାମ ମେହେର, ମାନଭଞ୍ଜନ ପ୍ରଧାନ, ମିନିଷ୍ଟର ବାରିକ, ଭଞ୍ଜନ ବାରିକ, ବିଜୟ ପ୍ରଧାନ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।